
ରାଉରକେଲା, ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଖଣିଜ ପାଣ୍ଠିର ହରିଲୁଟ୍ ହେଉଥିବା ନେଇ ଜିଲ୍ଲାର ସଚେତନ ନାଗରିକ ମାନେ ଅଭିଯୋଗ କରିବା ସହ ଏହାର ତଥ୍ୟ ମଧ୍ୟ ଦେଲେ, ହେଲେ ଏଯାଏ ଜିଲ୍ଲାର ସାଂସଦ, ବିଧାୟକ ମାନେ ନିରବ ରହିଥିବାରୁ ଜିଲ୍ଲାର ବଭିନ୍ନ ଅଂଚଳରୁ ଛାତ୍ର ଛାତ୍ରୀ ଯୁବକ ଯୁବତୀ ତଥା ସଚେତନ ନାଗରିକ ମାନେ ଲୋକ ପ୍ରତିନିଧି ମାନଙ୍କୁ ଏନେଇ ସିଏଜି ତଦନ୍ତ ଦାବି କରିବାକୁ ଅନୁରୋଧ କରିଥିବା ଜଣାପଡିଛି । ଏମାନେ ପ୍ରତିଦିନ ପୋଷ୍ଟକାର୍ଡରେ ଏହି ଅନୁରୋଧ କରିଚାଲିଥିବା ଖବର ମିଳିଛି । ଜିଲ୍ଲା ଖଣିଜ ପାଣ୍ଠିରେ ଥିବା ଅର୍ଥ କେବଳ ଖଣି ପ୍ରଭାବିତ ଅଂଚଳରେ ଖର୍ଚ୍ଚ ହୋଇପାରିବ ବୋଲି ନିୟମ ରହିଛି, ମାତ୍ର ଜିଲ୍ଲା ମୁଖିଆ ତଥା ଏହାର ଅଧ୍ୟକ୍ଷ ମନଇଚ୍ଛା ବିଭିନ୍ନ ଯାଗାରେ ଏହି ଅର୍ଥ ଖର୍ଚ୍ଚ କରୁଛନ୍ତି । ଏପରିକି ଏହି ଅର୍ଥ ବର୍ତମାନ ଠିକାଦାର ପୋଷିବା ଲାଗି ରହିଥିବା କୁହାଯାଉଛି । କୋଇଡା ହେଉ କିମ୍ବା ସୁନ୍ଦରଗଡ଼, ସେସବୁ ପ୍ରଭାବିତ ଅଂଚଳରେ ଲୋକେ ଖାଇବାକୁ ପାଉନଥିବା ବେଳେ କାମ ନପାଇ ଲୋକେ ଦାଦନ ଖଟିବାକୁ ଚାଲିଯାଉଛନ୍ତି । ଛୋଟ କଁଅଳା ଶିଶୁ ପୃଷ୍ଟିକର ଖାଦ୍ୟ ନପାଇ ମୃତ୍ୟୁବରଣ କରୁଛି, ବିବାହ ଯୋଗ୍ୟ ବଢିଲା ଝିଅ ଦଲାଲ ମାନଙ୍କ ଦ୍ୱାରା ଶୋଷଣର ଶୀକାର ହୋଇ ବାହାର ରାଜ୍ୟକୁ ଚାଲାଣ ହେଉଛି । ରାସ୍ତା ଘାଟ, ଗମନା ଗମନ, ଶିକ୍ଷା ସ୍ୱାସ୍ଥ୍ୟ ଅବସ୍ଥା ନକହିବା ଭଲ, କିନ୍ତୁ ଖଣି ଲାଗି ନିଜର ସର୍ବସ୍ୱ ହରାଇଥିବା ଲୋକେ ଏହି ଅର୍ଥିରୁ ପଇସା ଟିଏ ହେଲେ ସୁଫଳ ପାଇପାରୁନଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଏହି ଅର୍ଥକୁ ସୁପରିଚାଳନା ଲାଗି ଯେଉଁ କମିଟୀ ରହିଛି ସେଥିରେ ଜିଲ୍ଲାର ବିଧାୟକ, ସାଂସଦ, ଜିଲ୍ଲା ପରିଷଦ ମାନେ ସଭ୍ୟ ରହିଛନ୍ତି । ନିକଟରେ ଜଣେ ଜିଲ୍ଲା ପରିଷଦ ସଭ୍ୟା ଏନେଇ ମୁହଁ ଖୋଲିଥିବା ବେଳେ ବିଧାୟକ ସାଂସଦ ମାନେ କେଉଁ ମହତ୍ ଲକ୍ଷ୍ୟରେ ମୁହଁକୁ ତାଲା ପକାଇ ରଖିଛନ୍ତି ତାହା ବର୍ତମାନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଏହାର ସିଏଜି ତଦନ୍ତ ତୁରନ୍ତ କରାଯାଉ ନଚେତ୍ ଏହାର ଜବାବ ଲୋକେ ପଚାଂୟତ ନିର୍ବାଚନରେ ରଖିବେ ବୋଲି ଚେତାବନୀ ଆସିବାରେ ଲାଗିଛି ।