ଗଞ୍ଜାମ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଦୀପତଳ ଅନ୍ଧାର ଭଳି ଘଟଣା ଦେଖିବାକୁ ମିଳିଛି । ଅସାଧୁ ସରକାରୀ କର୍ମଚାରୀ ମାନଙ୍କ ସହିତ କିଛି ସ୍ଥାନୀୟ ନେତାଙ୍କର ସ୍ବାର୍ଥ ପାଇଁ ବିକାଶ ବାଟବଣା ହୋଇଛି । ଏହି କ୍ରମରେ କୃଷି ବିଭାଗର ହର୍ଟିକଲଚର ଏକ ବିଭାଗୀୟ କାର୍ଯ୍ୟାଳୟ ସ୍ଥାନୀୟ ହିଞ୍ଜିଳି ବ୍ଲକର ରାଳବ ପଞ୍ଚାୟତରେ ପ୍ରତିଷ୍ଠିତ ହେଇଛି । ଏଥିଦ୍ବାରା କୃଷକ ମାନଙ୍କର ଉଦ୍ୟାନଭିତ୍ତିକ କୃଷିକର୍ମାଣିରେ ଚାଷୀ ମାନଙ୍କର ଆର୍ଥିକ ଅଭିବୃଦ୍ଧିର ଉଦ୍ଦେଶ୍ୟ ରଖି ଆରମ୍ଭ ହୋଇଥିବା କାର୍ଯ୍ୟାଳୟଟି ବର୍ତ୍ତମାନ ପଙ୍ଗୁ ଅବସ୍ଥାରେ ରହିଛି । କିନ୍ତୁ, ଏଥିପାଇଁ ଆନୁସଙ୍ଗିକ ବିଦ୍ଧି ବ୍ୟବସ୍ଥାରେ ରାଜ୍ୟ ସରକାର କୌଣସି ଅବହେଳା କରି ନଥିବା ଦୃଷ୍ଟିକୁ ଆସିଥିଲା । ବର୍ତ୍ତମାନକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ସ୍ଥାନୀୟ ନେତାଙ୍କର ଦାୟିତ୍ଵହିନତା ପାଇଁ ଫାଟକରେ ଅନେକ ଦିନ ଧରି ତାଲା ଝୁଲୁଛି । ଘଟଣା ସମ୍ପର୍କରେ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲୁ । ସେ କହିଥିଲେ ଯେ, କାର୍ଯ୍ୟାଳୟ ଗୃହ ନିର୍ମାଣ ସରିଥିଲେ ମଧ୍ୟ ଆମକୁ ହସ୍ତାନ୍ତର ହୋଇନାହିଁ, ଆମେ କାର୍ଯ୍ୟାଳୟ ଆରମ୍ଭ ପାଇଁ ଦେଖିଲା ବେଳେ କାର୍ଯ୍ୟାଳୟ ଭିତର ପାର୍ଶ୍ବର ଚଟାଣର କିଛି ଅଂଶ ଦବି ଯାଇଥିଲା, ମରାମତି ପାଇଁ କୁହାଯାଇଛି ଏବଂ ବିଦ୍ୟୁତ ସଂଯୋଗ ପରେ କାର୍ଯ୍ୟାଳୟ ଆରମ୍ଭ ହେବ ବୋଲି ଅଧିକାରୀ କହିଲେ । ଏଣୁ ଏହି ହର୍ଟିକଲଚର କାର୍ଯ୍ୟାଳୟର ଗୃହ ନିର୍ମାଣ କେଉଁ ବିଭାଗ କରିଛି, ସମୟସୀମା ମଧ୍ୟରେ କାର୍ଯ୍ୟ ନସାରି ଗୃହ ହସ୍ତାନ୍ତରରେ ବିଳମ୍ବ କାହିଁକି ହେଲା, ନିମ୍ନମାନର କାର୍ଯ୍ୟ ପାଇଁ ପୁଣି ମରାମତି ହେବ । ଏଥିପାଇଁ କିଏ ଦାୟୀ ଏବଂ କାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।