ଭୁବନେଶ୍ୱର, ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତ କରାଯିବା ସହ ଏଭଳି ନାରକୀୟ ଘଟଣାରେ ସଂପୃକ୍ତିର ଅଭିଯୋଗ ଥିବା ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇ ଗିରଫ କରିବା ପାଇଁ ରାଜ୍ୟ ସଭାପତି ସମୀର ମହାନ୍ତି ଦାବୀ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ତଥା ସନସାଇନ ପବ୍ଲିକ ସ୍କୁଲର ମୁଖ୍ୟ ସଂଚାଳକ ଗୋବିନ୍ଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସେଠାରେ ଯୈାନ ବ୍ୟଭିଚାର ଚାଲିଥିଲା । ଶ୍ରୀ ସାହୁଙ୍କ ଘନିଷ୍ଠ ସହଯୋଗୀ ତଥା ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସମେତ ମନ୍ତ୍ରୀ ପ୍ରତାପ ଜେନା, ନିରଂଜନ ପୁଜାରୀ, ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଭଳି ବହୁ ମନ୍ତ୍ରୀ, ନେତାମାନେ ବାରମ୍ବାର ସେ ସ୍କୁଲକୁ ଆସୁଥିଲେ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଅନୈତିକ କାର୍ଯ୍ୟକଳାପ ସଂପର୍କରେ ମୃତା ମମିତା ମେହେର ଖୁଲାସା କରିଦେବେ ବୋଲି କହିବାରୁ ତାଙ୍କୁ ହତ୍ୟା କରାଯାଇଛି ।
ନିଖୋଜ ହେବା ପରେ ବିଭିନ୍ନ ଆଳ ଦେଖାଇ ମୃତା ମମିତାର ବାପାଙ୍କ ଏତଲା ପୋଲିସ ରଖିନଥିଲା । ପୋଲିସ୍ ଜବତ କରିଥିବା ମମିତାଙ୍କ ଲ୍ୟାପଟପ, ପେନ ଡ୍ରାଇଭ, ମୋବାଇଲକୁ ପ୍ରକୃତ ଯାଂଚ କରାଗଲେ ସତ୍ୟାସତ୍ୟ ଏବଂ ସମସ୍ତ ଅସମାହିତ ପ୍ରଶ୍ନର ଉତର ସାମ୍ନାକୁ ଆସିପାରିବ ।
ସନସାଇନ ପବ୍ଲିକ ସ୍କୁଲ ଓ କଲେଜକୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ନିର୍ଦ୍ଦେଶରେ ବହୁ ପରିମାଣର ସରକାରୀ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି । ପଶ୍ଚିମ ଓଡିଶା ବିକାଶ ପରିଷଦ ପାଂଠିରୁ ୨୦୧୦ ମସିହାରୁ ୨୦୧୭ ମସିହା ଭିତରେ ଏହି ଶିକ୍ଷାନୁଷ୍ଠାନର ଲାଇବ୍ରେରୀ, କ୍ଲାସରୁମ, ହଲ୍, ଗାଲ୍ରସ୍ କମନ ରୁମ, ବୟେଜ ହଷ୍ଟେଲ ଆଦି ନିର୍ମାଣ ପାଇଁ ପର୍ଯ୍ୟାୟକ୍ରମେ ୩୧ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯିବା ସଂପୂର୍ଣ୍ଣ ଜନବିରୋଧୀ କାର୍ଯ୍ୟ ଅଟେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏଭଳି କୁତ୍ସିତ ଓ ଜଘନ୍ୟ ଘଟଣାରେ ସଂପୃକ୍ତ ଥିବା ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବୀରେ ସାଧାରଣ ଜନତାଙ୍କ ସହ ମିଶି ବିଜେପିର ମହିଳା ଓ ଯୁବ କାର୍ଯ୍ୟକର୍ତାମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ଏବଂ ଡ.ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ଥିଲେ ।