-
ମନ୍ଦିର ଉପର ଚର୍ତୁପାଶ୍ୱର୍ ବର ଓ ଅଶ୍ୱତଥ ଗଛରେ ଭର୍ତି
-
ପଥର ସନ୍ଧି ଦେଇ କାୟା ବିସ୍ତାର କରୁଛି ଚେର
ସାକ୍ଷିଗୋପାଳ, ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲାର ସାକ୍ଷିଗୋପାଳ ସ୍ଥିତ ସାକ୍ଷିଗୋପୀନାଥ ମନ୍ଦିର ସମ୍ପ୍ରତି ବିପଦଶଙ୍କୁଳ ଅବସ୍ଥାରେ । ମନ୍ଦିର ଉପର ଭାଗର ଚର୍ତୁପାଶ୍ୱର୍ରେ ଛୋଟ ବଡ ବରଗଛ ଓ ଅଶ୍ୱତଥ ବୃକ୍ଷରେ ଭର୍ତି ହୋଇଗଲାଣି । ଯାହାକି ମନ୍ଦିରର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ବହୁ ପୁରାତନ ଏହି ମନ୍ଦିରର ରକ୍ଷଣାବେକ୍ଷଣା କିଭଳି ଢ଼ଙ୍ଗରେ ଚାଲିଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ଦେବୋତର କମିଶନ ଅଧିନରେ ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ଏହାର ମରାମତି ଓ ରକ୍ଷଣାବେକ୍ଷଣା ଦାୟୀତ୍ୱ ନେଇଛି । ତେବେ ଉପଯୁକ୍ତ ତଦାରଖ, ରକ୍ଷଣାବେକ୍ଷଣା ଓ ଆବଶ୍ୟକ ମରାମତି ଅଭାବରୁ ମନ୍ଦିରର ସ୍ଥିତି କ୍ରମଶଃ ବିଗିଡ଼ିବାରେ ଲାଗିଛି । ସ୍ଥିତି ଏପରି ହେଲାଣି ଯେ, ମନ୍ଦିର ଉପରକୁ ନୀଳଚକ୍ରକୁ ବାନା ବାନ୍ଧିବାକୁ ଯାଉଥିବା ସେବକ ମନ୍ଦିର ଉପରକୁ ଯିବାକୁ ଭୟ କଲେଣି । ବିଶେଷ କରି ମନ୍ଦିର ଉପର ଚର୍ତୁପାଶ୍ୱର୍ରେ ଛୋଟ ବଡ଼ ବରଗଛ ଓ ଅଶ୍ୱତଥ ବୃକ୍ଷରେ ଭର୍ତି ହେବା ସହ ପଥର ଗୁଡିକ ଶିଉଳି ମୟ ହୋଇଯାଇଥିବାରୁ ସେବକ ମାନଙ୍କ ମନରେ ଏପରି ଭୟ ଆସିବା ସ୍ୱାଭାବିକ୍ । ପଥର ସନ୍ଧି ମଧ୍ୟ ଦେଇ ବଢି ଚାଲିଛି ଗଛର ଚେର । ଯାହାକି ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି କରୁଛି । ଏହି ଫାଟ କ୍ରମଶଃ ବଢିବାରେ ଲାଗିଛି । ମନ୍ଦିର ବେଢ଼ାର ଉତର ପାଶ୍ୱର୍ରେ ନୀଳଚକ୍ର ଓ ଅଁଳା ବେଢ଼ା ତଳକୁ ଉଠିଥିବା ବରଗଛର ଚେର କ୍ରମଶଃ ମନ୍ଦିର ଉପରୁ ଭୂଇଁ ଆଡକୁ ଲମ୍ବି ଆସୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଦୂରଦୂରନ୍ତରୁ ଦର୍ଶନ ନିମନ୍ତେ ଆସୁଥିବା ଶ୍ରଦ୍ଧାଳୁ ଓ ଅଂଚଳବାସୀ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଅତୀତରେ ମଧ୍ୟ ମନ୍ଦିରର ଅଁଳା ବେଢ଼ା ଓ ଅନ୍ୟାନ୍ୟ ସ୍ଥାନରୁ ପଥର ଖସିବାର ନଜିର ରହିଛି । ବିଶେଷ କରି ରକ୍ଷଣାବେକ୍ଷଣା ଅଭାବରୁ ଏଭଳି ସ୍ଥିତି ଉପୁଜିଛି । ଏପରି ସ୍ଥିତିରେ ଜିଲ୍ଲା ପ୍ରଶାସନ, ଦେବୋତର କମିଶନ ଓ ରାଜ୍ୟ ପ୍ରତ୍ନତତ୍ୱ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ଅଂଚଳର ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକ । ବର୍ଷକେ ଥରେ ଅଁଳା ନବମୀ ଓ ରାଧା ପାଦଦର୍ଶନ ସରିଲେ ପ୍ରଶାସନ ମନ୍ଦିର କଥା ମନରୁ ପାସୋରି ଦେଉଥିବା ଅଭିଯୋଗ ହେଉଛି ।
ଅନ୍ୟପକ୍ଷରେ ମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣା ନିମନ୍ତେ ଆସୁଥିବା ଅର୍ଥର ସଠିକ୍ ବିନିଯୋଗ କରାଯାଉଛି କି ନାହିଁ ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ଯଦି ବାସ୍ତବରେ ଏହି ଅର୍ଥର ସଠିକ୍ ଉପଯୋଗ ହେଉଥାନ୍ତା ତେବେ ମନ୍ଦିର ହୁଏତ ଆଜି ଏଭଳି ବିପଦଶଙ୍କୁଳ ସ୍ଥିତିରେ ପହଂଚି ନଥାନ୍ତା । ପ୍ରତି ବର୍ଷ ଅଁଳା ନବମୀ ପୂର୍ବରୁ ମନ୍ଦିର ଉପରୁ ଏସବୁ ଗଛ କଟା ଯାଉଛି । କିନ୍ତୁ, ପର୍ଯ୍ୟାପ୍ତ ମାତ୍ରାରେ କେମିକାଲ୍ ଦେଇ ଏହାର ଚେରକୁ ସମୂଳେ ନଷ୍ଟ କରିବାର ପ୍ରୟାସ କରାଯାଉନାହିଁ । ଯାହାକି ଦାୟୀତ୍ୱରେ ଥିବା ଅଧିକାରୀଙ୍କ ପାଇଁ ଏହା ଏକ ଲେଉଟିଆ ପଟାଳି ସାଜିଛି । ଆବଶ୍ୟକ ମାତ୍ରାରେ କେମିକାଲର ବ୍ୟବହାର କରାଯାଉନଥିବା କାରଣରୁ ଏହି ଚେର ପ୍ରତି ବର୍ଷ ବର୍ଷା ଋତୁରେ ସତେଜ ହୋଇଉଠିବା ସହ ପଥର ସନ୍ଧିରେ ଭିତରକୁ କାୟା ବିସ୍ତାର କରିବାରେ ଲାଗିଛି । ଘଟଣାର ବିଧିବଦ୍ଧ ତଦନ୍ତର ଆବଶ୍ୟକତା ରହିଛି । ଏପରିକି ସମ୍ପ୍ରତି ଭୁବନେଶ୍ୱର, ପୁରୀ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଥିବା ମନ୍ଦିର ଗୁଡିକର ରକ୍ଷଣାବେକ୍ଷଣା କ୍ଷେତ୍ରରେ ବିଭାଗ ଯେତିକି ଗୁରୁତ୍ୱ ଦେଉଛି, ତଦନୁଯାୟୀ ସାକ୍ଷୀଗୋପାଳ ମନ୍ଦିର ପ୍ରତି ଆନ୍ତରିକତା ନଥିବା ପରି ମନେ ହେଉଛି ।ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ଏନେଇ ପ୍ରଥମେ ହିନ୍ଦୁସ୍ଥାନ ସମାଚାର ପକ୍ଷରୁ ଖବର ପରିବେଷଣ ପରେ ତତ୍କାଳୀନ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ କହିଥିଲେ ଯେ, ମୁଁ ଆପଣଙ୍କ ସୂତ୍ରରୁ ଏ ବାବଦରେ ଅବଗତ ହେଲି ଏବଂ ଖୁବ୍ ଶୀଘ୍ର ଏହାର ଅନୁଧ୍ୟାନ କରାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯିବ । ହେଲେ ସେ ସମୟରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିଲା । ପରେ ପରେ ଆସିଥିବା ଜିଲ୍ଲାପାଳ ମାନେ ମଧ୍ୟ ଏ ଦିଗରେ ସେମିତି କିଛି ଠୋସ୍ ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ତେବେ ବେଳ ଥାଉଁ ଦେବୋତର କମିଶନ, ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ସାକ୍ଷୀଗୋପୀନାଥ ମନ୍ଦିରର ରକ୍ଷଣାବେକ୍ଷଣା ଉପରେ ଦୃଷ୍ଟି ଦେବା ଓ ଏହାର ଉପଯୁକ୍ତ ତଦାରଖ କରିବାକୁ ସ୍ଥାନୀୟ ବୁଦ୍ଧିଜିବୀ, ବରିଷ୍ଠ ନାଗରିକ ଓ ସେବାୟତ ମହଲରେ ଦାବି ହେଉଛି । ଅପରପକ୍ଷେ ଯଦି ରାଜ୍ୟ ପର୍ଯ୍ୟଟନ ବିଭାଗ (ଓଟିଡ଼ିସି) ଏହାକୁ ହାତକୁ ନେବା ସହ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)କୁ ଏହାର ମରାମତି ଓ ରକ୍ଷଣାବେକ୍ଷଣା ଦାୟୀତ୍ୱ ହସ୍ତାନ୍ତର କରନ୍ତା, ତେବେ ସ୍ଥିତିରେ ଦୃତ ସୁଧାର ଆସିପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।