
ଭୁବନେଶ୍ୱର, ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ତୈଳ / ରନ୍ଧନଗ୍ୟାସ / ଅତ୍ୟାବଶକୀୟ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ମାଷ୍ଟରକ୍ୟାଂଟିନ ଠାରେ ଜନପଥ ରାସ୍ତାକୁ ଦେଢ଼ଘଂଟା ଧରି ଅବରୋଧ କରାଯାଇଥିଲା । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା ।
ଏହି ପରୀପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ନିଷ୍ପତିରେ ଆଜି ପେଟ୍ରୋଲ/ ଡିଜେଲ / ରନ୍ଧନଗ୍ୟାସ ଓ ସମସ୍ତ ଅତ୍ୟାବଶକୀୟ ସାମଗ୍ରୀର ଦର ଅତି ଅମାନବିୟ ଭାବରେ ବୃଦ୍ଧି କରାଯାଇଛି । ସାଧାରଣ ଜନତା ଅନୁଭବ କରୁଛନ୍ତି ରାଜ୍ୟରେ ଓ ଦେଶରେ ଆଉ ଗଣତନ୍ତ୍ରର ଶାସନ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଦଳ ପ୍ରତିଶ୍ରୁତି ଦେଇଥିଲେ ପେଟ୍ରୋଲ / ଡିଜେଲ ଦର ୪୦ଟଙ୍କାରେ ସୀମିତ ରଖିବେ । ମୋଦି ସରକାରରେ ଅଶୋଧିତ ତୈଳଦର ବ୍ୟାରେଲ ପିଛା ୩୦ ଡଲାରୁ ୮୦ ଡଲାର ପର୍ଯ୍ୟନ୍ତ ଯାଇଛି । ହେଲେ ପେଟ୍ରୋଲ ଓ ଡିଜେଲ ଦର ୧୦୦ ଟଙ୍କା ପାର ହୋଇଥିବା ବେଳେ ରନ୍ଧନଗ୍ୟାସ ଟାଙ୍କି ୧୦୦୦ ଟଙ୍କାରେ ପଂହଚିଛି । ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୋଦି ସରକାରର ଏହି ଦରବୃଦ୍ଧି ଅତ୍ୟାଚାର ସମର୍ଥନ କରୁଛନ୍ତି । ଯୁବ ବିଜେଡ଼ି ଦଳ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି କାରଣ ନବୀନ ସରକାରରେ ମଧ୍ୟ ଏହି ଦରବୃଦ୍ଧିରେ ବଡ଼ ଅଂଶ ରହିଛି । ଦରବୃଦ୍ଧି ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଶ୍ରୀ ପାତ୍ର କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଯୁବ କଂଗ୍ରେସ ମୁଖପାତ୍ର ଅଜୟ ସାହୁ, ସଂକୁନା କହଁର, କୃଷ୍ଣ ମହାନ୍ତି, ସୁବ୍ରତ ମହାପାତ୍ର, ରାଜେଶ ନାୟକ, ସିଦ୍ଧାର୍ଥ ମଲ୍ଲିକ, ସାମସନ ଦାସ, ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।