
ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରେବଣାପଳାଶପାଳ ଫରେଷ୍ଟ ବିଟ୍ ଅଧିନସ୍ଥ ତେନ୍ତୁଳିପୋଷି ଗାଁରୁ ଏକ ୧୨ଫୁଟ୍ ଲମ୍ବର ବିଶାଳ ଅଜଗର ସାପ ଉଦ୍ଧାର କରିଯାଇଛି । ସୂଚନା ଅନୁଯାୟୀ, ଚିଲିକିଧରା ରେଲୱେ ଷ୍ଟେସନ ନିକଟସ୍ଥ ତେନ୍ତୁଳିପୋଷି ଗାଁରେ ଏହି ଅଜଗର ସାପଟି ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପ୍ରଥମ ଥର ପାଇଁ ଗ୍ରାମରେ ଏଭଳି ଏକ ବିରାଟକାୟ ସାପକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ । ଗ୍ରାମର ଯୁବକମାନେ ସଙ୍ଗେ ସଙ୍ଗେ ଦାୟିତ୍ବରେ ଥିବା ବନପାଳଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ବନପାଳ ଓ ସାପ ଧରା ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ନିଜ ଆୟତକୁ ନେଇ ସୁରକ୍ଷିତ ଅବସ୍ଥାରେ ରେବଣାପଳାଶପାଳ ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ଜଣାପଡିଛି । ଏହି ବିରାଟକାୟ ଅଜଗର ସର୍ପକୁ ଦେଖିବା ପାଇଁ ଘଟଣାସ୍ଥଳରେ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଥିଲା ।