ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ପଟ୍ଟାମୁଣ୍ଡାଇକୁ ଗତ ୧୯୮୮ ମସିହା ଡିସେମ୍ବର ୬ ତାରିଖରେ ଏନଏସିର ମାନ୍ୟତା ପ୍ରଦାନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ସମେତ ଆଖପାଖ ୫ଟି ଗ୍ରାମପଚାଂୟତର କେତେକ ଅଚଂଳକୁ ନେଇ ଏନଏସି ଘୋଷଣା କରି ବିଜ୍ଞାପିତ ଅଂଚଳର ସମସ୍ତ ସୁବିଧା ସୁଯୋଗ ଜନସାଧାରଣଙ୍କୁ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଥିଲେ । ପଟ୍ଟାମୁଣ୍ଡାଇ ପଞ୍ଚାୟତ କଷଣଅଂଟା ପଞ୍ଚାୟତ, ମାଟିଆ ପଞ୍ଚାୟତ, ବାଲିପାଟଣା ପଞ୍ଚାୟତ, ନୀଳକଣ୍ଠପୁର ପଞ୍ଚାୟତ ପ୍ରଭୃତି ଅଞ୍ଚଳର ବିଭିନ୍ନ ଗ୍ରାମକୁ ନେଇ ପଟ୍ଟାମୁଣ୍ଡାଇ ଏନଏସି ଘୋଷଣା କରାଯାଇଥିଲା ।
ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ସ୍ୱର୍ଗତଃ ବଟକୃଷ୍ଣ ଜେନାଙ୍କ ସହଯୋଗ ଓ ତତ୍କାଳୀନ ପଟ୍ଟାମୁଣ୍ଡାଇ ବିଧାୟକ ଗଣେଶ୍ୱର ବେହେରାଙ୍କ ଉଦ୍ୟମରେ ପଟ୍ଟାମୁଣ୍ଡାଇକୁ ମିଳିଥିଲା ବିଜ୍ଞାପିତ ଅଞ୍ଚଳର ମାନ୍ୟତା । ବିଜ୍ଞାପିତ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ପ୍ରତ୍ୟେକ୍ଷ ନିର୍ବାଚନରେ ବିଜୟ ହୋଇଥିଲେ ଯୁବନେତା ରବିନ୍ଦ୍ର ମହାନ୍ତି । ପରବର୍ତୀ ସମୟରେ ବିଜ୍ଞାପିତ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଜନତାଦଳ ସରକାର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ପାଇଁ ଯୋଜନା ପ୍ରଣୟନ କରିବା ଆରମ୍ଭ କରିଥିଲେ ହେଁ ବସ୍ତୁତଃ ଅଞ୍ଚଳରେ କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇପାରିନଥିଲା ।
ବିଜ୍ଞାପିତ ପରିଷଦ ପକ୍ଷରୁ କିଣା ଯାଇଥିବା ୨ଟି ଯାତ୍ରୀବାହୀ ବସ୍ ରାସ୍ତା କଡରେ ପଡି ଖତ ଖାଇଯିବାବେଳେ ଅକଟ୍ରାଏ ଟିକସ ଆଦାୟକୁ ନେଇ ବେଶ୍ ବଦନାମ ମୁଣ୍ଡାଇ ଥିଲା । ଦୀର୍ଘ ଦିନର ବ୍ୟବଧାନ ପରେ ପରବର୍ତୀ ରାଜ୍ୟ ସରକାର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ପଦବୀ ନିର୍ବାଚନକୁ ପରୋକ୍ଷ ଭାବେ କରାଇବାର ନିଷ୍ପତି ଗ୍ରହଣ କରିଥିଲେ । ଗତ ୨୦୧୪ ମସିହା ଫେବୃଆରୀ ୨୪ ତାରିଖ ଠାରୁ ପଟ୍ଟାମୁଣ୍ଡାଇ ଏନଏସିକୁ ରାଜ୍ୟ ସରକାର ମ୍ୟୁନିସିପାଲିଟର ମାନ୍ୟତା ପ୍ରଦାନ କରଥିଲେ । ବର୍ତମାନ ଏହାର ଜନସଂଖ୍ୟା ୪୪୫୨୮ ହୋଇଥିବାବେଳେ ମୋଟ୍ ୨୦ଟି ୱାର୍ଡ ରହିଛି । ଜନସଂଖ୍ୟା ବୃଦ୍ଧିକୁ ଆଖି ଆଗରେ ରଖି ୱାର୍ଡ ପୁନଃଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ ବସ୍ତୁତଃ ଏହା କାର୍ଯ୍ୟକାରୀ ହୋଇନାହିଁ ।
ପଟ୍ଟାମୁଣ୍ଡାଇ ସହରାଚଂଳରେ ଲୋକମାନଙ୍କର ବିଭିନ୍ନ ସମସ୍ୟା ରହିଛି । ତନ୍ମଧ୍ୟରୁ ପାଣିନିଷ୍କାସନ ସମସ୍ୟା, ଗମନାଗମନ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା, ପାନୀୟଜଳ, ବଜାର ସମସ୍ୟା, ଟ୍ରାଫିକ ସମସ୍ୟା ସମେତ ପାଠାଗାର ପ୍ରତିଷ୍ଠା ଆମୋଦପ୍ରମୋଦ ପାଇଁ ପ୍ରମୋଦ ଉଦ୍ୟାନ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଣ୍ଡପ ଏବଂ ସଭାସମିତି ପାଇଁ ସଭାଗୃହ ସମସ୍ୟା ମଧ୍ୟ ସହରବାସୀଙ୍କର ଏକ ମୌଳିକ ସମସ୍ୟା କୁହାଯାଇପାରେ । ରାଜ୍ୟ ସରକାରଙ୍କ ନଗରଉନ୍ନୟନ ବିଭାଗ ପକ୍ଷରୁ ପାର୍କ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲେ ହେଁ ତାହା କାଗଜକଲମରେ ସୀମିତ ରହିଛି । ସେହିପରି ନିର୍ମାଣ କରାଯାଇଥିବା କଲ୍ୟାଣମଣ୍ଡପ ଅଦ୍ୟାବଧି ଜନସାଧାରଣଙ୍କ କାର୍ଯ୍ୟରେ ଲାଗି ପାରୁନାହିଁ । ପଟ୍ଟାମୁଣ୍ଡାଇର ଅନ୍ୟାନ୍ୟ ମୁଖ୍ୟ ସମସ୍ୟା ମଧ୍ୟରେ ଟ୍ରାଫିକ ସମସ୍ୟା ଏକ ଗୁରୁତର ସମସ୍ୟା । ବୁଲା ଗାଈଗୋରୁ, ଛେଳିମେଣ୍ଢା, ଟ୍ରାଫିକ ନିୟନ୍ତ୍ରଣ କରିବା ଏକ ନିତିଦିନିଆ ଘଟଣା । ସେହିପରି ସହରାଚଂଳରେ ନିର୍ଦ୍ଧାରିତ ସ୍ଥାନରେ ନିର୍ଦ୍ଧାରିତ ବଜାର ଭେଣ୍ଡିଂଜୋନ ମାଧ୍ୟମରେ ଖୋଲାନଯିବା ଆଉ ଏକ ସମସ୍ୟା । ବର୍ଷା ଦିନେ ସହରାଞ୍ଚଳର ବହୁ ସ୍ଥାନ ଜଳାର୍ଣ୍ଣବ ହୋଇପଡୁଥିବାବେଳେ ପାଣି ନିଷ୍କାସନ ପାଇଁ ଡ୍ରେନେଜ ସିଷ୍ଟମକୁ ଅଦ୍ୟାବଧି ସଜଡା ଯାଇପାରିଲାନାହିଁ । ଅଡିଟୋରିୟମ କାର୍ଯ୍ୟ ମଧ୍ୟ ଧିମା ଗତିରେ ଚାଲିଥିବାରୁ ତାହାର ପୂର୍ଣ୍ଣାଙ୍ଗ ସ୍ୱରୂପ ଦେଖିବାକୁ ସହରବାସୀଙ୍କୁ ଆଉ କିଛିଦିନ ଅପେକ୍ଷା କରିବାକୁ ପଡିବ । ସହରରେ ପାଠାଗାର ନଥିବାରୁ ସହରାଚଂଳବାସୀଙ୍କୁ ବିଭିନ୍ନ ଉପାଦେୟ ପୁସ୍ତକ ପଠନ କରିବାରେ ସୁଯୋଗ ମିଳୁନାହିଁ । ପୁନଶ୍ଚ ବହୁ କୋଟି ଟଙ୍କା ମୂଲ୍ୟରେ ନିର୍ମାଣ କରାଯାଇଥିବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟଟି ଲୋକଙ୍କ କାର୍ଯ୍ୟରେ ଲାଗି ପାରୁନାହିଁ ।
ପୌରାଚଂଳର ବିଭିନ୍ନ ସାହିବସ୍ତିରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡିଥିବା କାରଣରୁ ଏହା ଗମନାଗମନରେ ଅନ୍ତଃରାୟ ସୃଷ୍ଟି କରୁଛି । ପୌରାଞ୍ଚଳ ରାସ୍ତାପାର୍ଶ୍ଵର ଆଲୋକୀକରଣ ବ୍ୟବସ୍ଥା ସଜାଡିବା ପାଇଁ କିଣା ଯାଇଥିବା ଗାଡି ଏବେ ବିଦ୍ୟୁତ ବିଭାଗ ଗ୍ରିଡରେ ପଡି ଖତ ଖାଉଛି । ଆଲୋକୀକରଣ ବ୍ୟବସ୍ଥାକୁ ଏକ ଘରୋଇ ସଂସ୍ଥାକୁ ଦିଆଯାଇଥିବାରୁ ସହରବାସୀ ବହୁ ସମୟରେ ରାତ୍ରକାଳରେ ଷ୍ଟ୍ରିଟ ଆଲୋକ ପାଇବାରୁ ବଂଚିତ ହେଉଛନ୍ତି । ବିଭିନ୍ନ ସମସ୍ୟାରେ ଉବୁଟୁବୁ ହେଉଥିବା ପଟ୍ଟାମୁଣ୍ଡାଇ ସହରାଚଂଳର ଭାଗ୍ୟ କେବେ ବଦଳିବ ତାହା ଦେଖିବା ପାଇଁ ସହରବାସୀ ଚାତକ ପରି ଚାହିଁ ରହିଥିବବେଳେ ଏହି ସବୁ ସମସ୍ୟାର ଆଶୁ ସମାଧାନ ପାଇଁ ରାଜ୍ୟ ସରକାର କି ଠୋସ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।