● ଆର୍ଥିକ ଅନଗ୍ରସରଙ୍କ ପାଇଁ କାମ କରୁଥିବା ଅଙ୍କିତା ସ ଫାଉଣ୍ଡେସନ୍ ଆଲୋକ ଓ ଆନନ୍ଦ ବାଣ୍ଟିଲେ ଭିନ୍ନକ୍ଷମ ପିଲାମାନଙ୍କୁ
● ବିଶେଷ ଦିନମାନଙ୍କରେ କଳ୍ପାଶା ଗରିବ ଓ ଦିବ୍ୟାଙ୍ଗଙ୍କୁ ଦିଅନ୍ତି ଖୁସି
ବାଲେଶ୍ଵର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ – ମିସ୍ ବାଲେଶ୍ଵର ଭାବେ ଖ୍ୟାତ ତଥା ବାଲେଶ୍ଵର ମାଟିର ଝିଅ କଳ୍ପାଶା ଅଙ୍କିତା ସ ଆଲୋକ ଓ ଆନନ୍ଦର ପର୍ବ ଦୀପାବଳିକୁ ଟିକିଏ ଭିନ୍ନ ଭାବରେ ପାଳନ କରି ରହିଛନ୍ତି ଚର୍ଚ୍ଚାରେ। ସମସ୍ତେ ଏହି ଦିନ ନିଜ ନିଜ ଘରେ ଦୀପ ଜାଳି, ବାଣ ଫୁଟାଇ ଆନନ୍ଦ ଉତ୍ସବର ସହ ଦିନଟିକୁ ପାଳନ କରିଥାନ୍ତି। ଲକ୍ଷ ଲକ୍ଷ ଟଙ୍କାର ବାଣ ଏହିଦିନ ଶେଷ ହୋଇଯାଏ। ପରିବେଶ ପ୍ରଦୂଷିତ ହେବା ସହ ପଶୁପକ୍ଷୀଙ୍କ ରହିବା କଷ୍ଟକର ହୋଇପଡେ। ସୁତରାଂ ଏସବୁ କଥା ଭାବି କଳ୍ପାଶା ଚଳିତ ବର୍ଷ ଦୀପାବଳି ସ୍ଥାନୀୟ ଟେକନିକାଲ୍ ସ୍କୁଲ୍ ପରିସରରେ ଥିବା ମୂକ ଓ ବଧୀର ବିଦ୍ୟାଳୟରେ ପାଳନ କରିଛନ୍ତି। ଅଙ୍କିତା ସ ଫାଉଣ୍ଡେସନ୍ ପକ୍ଷରୁ ଅଧ୍ୟକ୍ଷା କଳ୍ପାଶା ଅଙ୍କିତା ସ ଏବଂ ଅନ୍ୟାନ୍ୟ ସଦସ୍ୟସଦସ୍ୟାମାନେ ବିଦ୍ୟାଳୟରେ ଉପସ୍ଥିତ ରହି ରବିବାର ଦିନ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଦେଇଥିଲେ ଦୀପାବଳିର ଆନନ୍ଦ ଓ ଅନୁଭବ।
ସମାଜରେ ଆର୍ଥିକ ଅନଗ୍ରସର ପିଲାମାନଙ୍କ ପାଇଁ ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କଳ୍ପାଶାଙ୍କ ପ୍ରତିଷ୍ଠିତ ସଂଗଠନ ପକ୍ଷରୁ ସବୁଜ ଦୀପାବଳି ପାଳନ କରାଯାଇଥିଲା। ଶବ୍ଦ ପ୍ରଦୂଷଣ ଓ ପରିବେଶକୁ ଖରାପ କରୁଥିବା ଫାୟାର୍ କ୍ରେକର୍ ବା ଅଗ୍ନି ଫୋଟକାଗୁଡିକୁ ବର୍ଜନ କରିବାର ବାର୍ତ୍ତା ଦେବା ସହ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯିବା ସହ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ସବୁଠୁ ଉଲ୍ଲେଖନୀୟ ଥିଲା ବୃକ୍ଷରୋପଣ କାର୍ଯ୍ୟକ୍ରମ। ସେଦିନ ପ୍ରତ୍ୟେକଟି ପିଲାଙ୍କ ହାତରେ ଗଛ ଚାରା ଲଗାଇଥିଲେ କଳ୍ପାଶା ନିଜେ। “ଆମ ପିଲାଙ୍କୁ ଗଛଟିଏ ଦିଅନ୍ତୁ ଓ ସେମାନଙ୍କୁ ଏକ ସବୁଜ ପୃଥିବୀ ଦେଇ ତାଙ୍କ ଭବିଷ୍ୟତ କୁ ସବୁଜିମାରେ ଭରି ଦିଅନ୍ତୁ। କାରଣ ଗଛ ନଥିଲେ ଆମେ କେହି ବି ସହଜରେ ଶ୍ଵାସକ୍ରିୟା ନେଇ ପାରିବାନି” ବୋଲି କଳ୍ପାଶା କହିଛନ୍ତି।
ଏହି ମହତ୍ କାର୍ଯ୍ୟକ୍ରମରେ କଳ୍ପାଶାଙ୍କ ମାଆ ରଶ୍ମିରେଖା ଦାଶ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଫାଉଣ୍ଡେସନ୍ ର ସଦସ୍ୟ ଭବାନୀ ଶଙ୍କର ବେହେରା, ସଞ୍ଜୟ ଜେନା, ସୂର୍ଯ୍ୟକାନ୍ତ ଦାସ, ଜୁଲୁ ଜାଦବ, ଚନ୍ଦନ ଅଣ୍ଡିଆ, ମଲ୍ଲୀ ଜେନା, ଅପରାଜିତା ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ବିଦ୍ୟାଳୟର କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଏଥିରେ ସହଯୋଗ କରିଥିଲେ।
୨୦୧୨ ମସିହାରେ ବିଉଟି କଣ୍ଟେଷ୍ଟରେ ମିସ୍ ବାଲେଶ୍ଵର କ୍ରାଉନ୍ ପିନ୍ଧିଥିବା କଳ୍ପାଶାଙ୍କ ପିଲାଦିନର ସ୍ଵପ୍ନ ଥିଲା ସେ ସମାଜରେ ନିମ୍ନବର୍ଗର ଲୋକମାନଙ୍କ ପାଇଁ ସବୁବେଳେ କାମ କରିବେ। ନିଃସହାୟ ଓ ଗରିବ ଲୋକଙ୍କ ପାଖରେ ସେ ସବୁବେଳେ ଅତି ଛୋଟ ବୟସରୁ ଛିଡ଼ା ହୋଇ ଆସୁଛନ୍ତି। ଅଙ୍କିତା ସ ଫାଉଣ୍ଡେସନ୍ ଗଢ଼ି ସେ ନିଜେ ଅଧ୍ୟକ୍ଷା ରହିବା ସହିତ ଆର୍ଥିକ ଦୁର୍ବଳ ଶ୍ରେଣୀର ବିଦ୍ୟାର୍ଥୀଙ୍କ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ଦେଉଛନ୍ତି। ବାଲେଶ୍ଵରରେ ଏକ ଜରା ନିବାସ ନିର୍ମାଣ ସହିତ ସବୁବେଳେ ଅସହାୟ ଲୋକଙ୍କ ସାହାରା ହୋଇ ରହିବାକୁ ଚାହାନ୍ତି ସେ।
ବାପା ରବୀନ୍ଦ୍ର ନାଥ ଶ ଏବଂ ମାଆ ରଶ୍ମିରେଖା ଦାଶଙ୍କ କନ୍ୟା କଳ୍ପାଶା ସବୁବେଳେ ଗୋଟେ ପରିବର୍ତ୍ତନ ଆଣିବାରେ ପ୍ରୟାସୀ।