ପଟ୍ଟାମୁଣ୍ଡାଇ, ମହାମାରୀ କରୋନା କଟକଣାରେ ସାମାନ୍ୟ କୋହଳ କରାଯାଇଥିବା ବେଳେ ପୂଜା ମଣ୍ଡପରେ ୪ ଫୁଟ ଉଚ୍ଚତାର ଦେବାଦେବୀଙ୍କ ମୂର୍ତି ନିର୍ମାଣ ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଛି । କିନ୍ତୁ, ପଟ୍ଟାମୁଣ୍ଡାଇର ଗଣପର୍ବ ଶାରଦୀୟ ଦୂର୍ଗାପୂଜା ଉତ୍ସବର ଆନନ୍ଦ ନେବା ପାଇଁ ଲୋକମାନେ କଟକଣାକୁ ଭୁଲି ଯାଇଥିବା ଭଳି ମନ ହୋଇଥିଲା । ଅଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ବିଭିନ୍ନ ପୂଜା ମଣ୍ଡପ ନିକଟରେ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ପାରମ୍ପରିକ ରୀତିରେ ଘଣ୍ଟ, ଘଣ୍ଟା, ଶଙ୍ଖ ଧ୍ୱନୀ ମଧ୍ୟରେ ନିରାଡ଼ମ୍ବର ଭାବେ ହେଉଥିବା ଭସାଣୀ ଉତ୍ସବର ଆନନ୍ଦ ନେବା ପାଇଁ ଭକ୍ତମାନେ ଉତ୍ସାହିତ ଜଣାପଡୁଥିବା ବେଳେ ଦିନତମାମ ଲଘୁଚାପଜନିତ ତୁହାକୁ ତୁହା ବର୍ଷା ଭସାଣୀ ଉତ୍ସବର ମାହୋଲକୁ ଫିକା କରିଦେଇଥିଲା । ପ୍ରଥମେ କଚେରୀ ଦୂର୍ଗାଙ୍କ ମେଢ଼ ବିସର୍ଜ୍ଜନ କରାଯିବା ପରେ ଅନ୍ୟ ମଣ୍ଡପରେ ପୂଜା ପାଉଥିବା ଦେବାଦେବୀଙ୍କ ମେଢ ଗୁଡିକୁ ପର୍ଯ୍ୟାୟ କ୍ରମେ ବିସର୍ଜ୍ଜନ ଘାଟକୁ ନେବା ପାଇଁ ପୂଜା କମିଟି ପକ୍ଷରୁ ଆୟୋଜନ ଆରମ୍ଭ ହୋଇଥିଲା । କିନ୍ତୁ ତୁହାକୁ ତୁହା ବର୍ଷା ଏଥିରେ ବାଧକ ସାଜିଥିବା ଦେଖିବାକୁ ମିଳିଥିଲା । ଅଳ୍ପ କେତେକ ମେଢ ବିସର୍ଜ୍ଜନ କରାଯାଇଥିବାବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଅନ୍ୟ ମେଢ ଗୁଡିକୁ ବିସର୍ଜ୍ଜନ ଘାଟକୁ ନେବା ପାଇଁ ମେଢ କମିଟି ଗୁଡିକ ତତ୍ପର ହୋଇ ଉଠିଥିଲେ । ଭସାଣୀ ଉତ୍ସବକୁ ଯଥାଶିଘ୍ର ସାରିବା ପାଇଁ ପ୍ରଶାସନ ମଧ୍ୟ ତତ୍ପର ହୋଇଉଠିଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମାତ୍ର ଗୋଟିଏ ଦିନ ମଧ୍ୟରେ ସମସ୍ତ ମେଢ଼ ବିସର୍ଜ୍ଜନ କରାଯାଇଥିଲା ।
ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ କୁମାର ସେଠୀ, ଏସଡିପିଓ ସନ୍ଧ୍ୟାରାଣୀ ବେଉରିଆ, ପୌରନିର୍ବାହୀ ଅଧିକାରୀ ସମ୍ପଦ ସ୍ୱାଇଁ, ଆଦର୍ଶ ଥାନା ଆଇଆଇସି ତପନ କୁମାର ରାଉତ ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ କୋଭିଡ କଟକଣାକୁ କଠୋର ଭାବେ ପାଳନ କରିବା ପାଇଁ ସହର ସାରା ପଇଁତରା ମାରିଥିଲେ । ମାତ୍ର ଦଶମୀ ଦିନ ଭକ୍ତ ମାନଙ୍କର ଭିଡ଼ ଚିନ୍ତାର କାରଣ ପାଲଟିଥିଲା । ଚଳିତ ବର୍ଷ ପ୍ରତ୍ୟେକ ମେଢ଼ରେ ପୂଜା ପାଉଥିବା ଦେବାଦେବୀ ପାଲଘେର ମଧ୍ୟରେ ଆବଦ୍ଧ ହୋଇ ପୂଜା ପାଇଥିଲେହେଁ ସାଧାରଣ ଦର୍ଶନକୁ ବାରଣ କରାଯାଇନଥିଲା । ପୂଜା ପରେ ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଥିଲା ମାଙ୍କ ଭସାଣି ଉତ୍ସବ ।