
-
ପ୍ରଦୀପଙ୍କ ଘରୁ ୧୪୪୦ ଗ୍ରାମ୍ ସୁନା ଏବଂ ୨୪ ଲକ୍ଷ ୨୫ ହଜାର ମୂଲ୍ୟର ହାର ଜବତ
-
ପ୍ରଦୀପଙ୍କ ସହଯୋଗୀଙ୍କ ଘରୁ ନଗଦ ୨୦ ଲକ୍ଷ ଜବତ
ଗଞ୍ଜାମ, ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ତାଙ୍କ ସହଯୋଗୀ ଏବଂ ସମ୍ପର୍କୀୟଙ୍କ ଘରେ ଗତକାଲି ସକାଳ ୭ଟା ଠାରୁ ଆଜି ସକାଳ ୬ଟା ପର୍ଯ୍ୟନ୍ତ ଦୀର୍ଘ ୨୩ ଘଂଟା ଧରି ଚଢ଼ଉ ଜାରୀ ରହିଥିଲା । ଏହି ସମୟରେ ପ୍ରଦୀପଙ୍କ ଘରୁ ୧୪୪୦ ଗ୍ରାମ୍ ସୁନା ଏବଂ ୨୪ ଲକ୍ଷ ୨୫ ହଜାର ଟଙ୍କା ମୂଲ୍ୟର ଏକ ହାର ଜବତ ହୋଇଥିବା ଜଣାପଡିଛି । ଏଥି ସହ ଟଙ୍କା ଓ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ମଧ୍ୟ ଜବତ କରିଛି ଭିଜିଲାନ୍ସ । ପ୍ରଦୀପଙ୍କ ନାମରେ ଥିବା ସମ୍ପତି ଆଟାଚ୍ ସହିତ ବିଭିନ୍ନ ବ୍ୟାଙ୍କ ଆକାଉଂଟକୁ ସିଜ୍ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ପଦକ୍ଷେପ ନିଆଯାଇଛି । ବିଧାୟକ ପ୍ରଦୀପଙ୍କ ସମସ୍ତ ସମ୍ପତି ବାଜ୍ୟାପ୍ତି କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ପ୍ରଦୀପଙ୍କ ଜଣେ ସହଯୋଗୀଙ୍କ ଘରୁ ନଗଦ ୨୦ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି ।
ପ୍ରକାଶ ଥାଉକି, ଗତ ୨୩ ଘଂଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ୧୧ ଟି ସ୍ଥାନ ଓ ଜିଲ୍ଲା ବାହାରେ ୪ଟି ସ୍ଥାନରେ ଏହି ଚଢ଼ଉ ହୋଇଥିଲା । ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ ହୋଇଥିଲା ।ଏଠାରେ ଉଲ୍ଲେଖଯୋଗ୍ୟ, ଟାଟା କମ୍ପାନୀରେ ଚାକିରୀ ଦେବା ନାମରେ ଠକେଇ ଓ ଆକାଶ ପାଠକ ଲିଙ୍କ୍ ମାମଲାରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ପୂର୍ବରୁ ବିଜେଡ଼ିରୁ ବହିଷ୍କାର କରାଯାଇଛି ।