
-
ଏକକାଳୀନ ୧୫ ଟି ସ୍ଥାନରେ ଚଢ଼ଉ
ଭୁବନେଶ୍ୱର/ଗଞ୍ଜାମ, ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ତାଙ୍କ ସହଯୋଗୀ ଏବଂ ସମ୍ପର୍କୀୟଙ୍କ ଘରେ ଆଜି ଭୋରରୁ ଭିଜିଲାନ୍ସ ଟିମ୍ ଚଢ଼ଉ ଆରମ୍ଭ କରିଛି । ଏକକାଳୀନ ଗଞ୍ଜାମ ଜିଲ୍ଲାର ୧୧ ଟି ସ୍ଥାନ ଓ ଜିଲ୍ଲା ବାହାରେ ୪ଟି ସ୍ଥାନରେ ଚଢ଼ଉ ହୋଇଛି । ମଧ୍ୟାହ୍ନ ସୁଦ୍ଧା ୫ଟି ସ୍ଥାନରେ ଚଢ଼ଉ ଶେଷ ହୋଇଥିବା ବେଳେ ଅନ୍ୟ ୧୦ଟି ସ୍ଥାନରେ ଚଢ଼ଉ ଜାରୀ ରହିଛି । ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ ହୋଇଛି ।
ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ବଡକୁଶସ୍ଥଳିର କମ୍ବୁପାଣି ସାହୁ, ହରେକୃଷ୍ଣ ସାହୁ ଏବଂ ବିଧାୟକଙ୍କ ସହଯୋଗୀ ନରେନ୍ଦ୍ରପୁର ଗ୍ରାମର ମଦନ ପାଣିଗ୍ରାହିଙ୍କ ଘରେ ଚଢ଼ଉ ହୋଇଥିବାର ସୂଚନା ମିଳିଛି । ବିଧାୟକଙ୍କ ଡ଼୍ରାଇଭର, ପରାମର୍ଶଦାତା, ଫାଇନାନ୍ସର, ସହଯୋଗୀଙ୍କ ସମେତ କିଛି ଅଚିହ୍ନା ଲୋକଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ସେହିପରି ପ୍ରଦୀପଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ମଧ୍ୟ ଚଢ଼ଉ ହୋଇଛି । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।
ପ୍ରକାଶ ଥାଉକି, ଟାଟା କମ୍ପାନୀରେ ଚାକିରୀ ଦେବା ନାମରେ ଠକେଇ ଓ ଆକାଶ ପାଠକ ଲିଙ୍କ୍ ମାମଲାରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ପୂର୍ବରୁ ବିଜେଡ଼ିରୁ ବହିଷ୍କାର କରାଯାଇଛି ।