ପୁରୀ, ଆଶ୍ୱିନ ଶୁକ୍ଲ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ । କାର୍ତ୍ତିକ ମାସରେ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ବେଶର ଏପରି ନାମକରଣ କରାଯାଇଛି । କାର୍ତ୍ତିକ ମାସରେ ରାତ୍ର ଦୁଇଘଡି ଥାଇ ଆଳତି ଅବକାଶ ସରି ତାପରେ ରାଧାଦାମୋଦର ବେଶ ହୋଇ ଠାକୁର ବାଳଧୂପ ପର୍ଯ୍ୟନ୍ତ ରୁହନ୍ତି । ଏହି ଦାମୋଦର ବେଶ ବା ରାଧାଦାମୋଦର ପୂଜାର ମୂଳରେ ହେଉଛନ୍ତି ଗୋପୀମାନେ କାର୍ତ୍ତିକ ବ୍ରତ ଆଚରଣ କରି ଯମୁନା କୂଳରେ ରାଧାଦାମୋଦରଙ୍କୁ ପୂଜା କରୁଥିଲେ ।
ଏହି ବେଶରେ ଲାଗି ହେଉଥିବା ସୁବର୍ଣ୍ଣ ଅଳଙ୍କାରମାନ ହେଲା – ସୁବର୍ଣ୍ଣ ଘାଗଡା- ତିନି, କଟି ଓଡିଆଣି- ତିନି, ଚନ୍ଦ୍ରସୂର୍ଯ୍ୟ ମସ୍ତକରେ ତିନି, ଚନ୍ଦ୍ରିକା ତ୍ରିମୁଣ୍ତି ଚୂଳର ଅଗ୍ରଭାଗରେ -ଦୁଇ, ତିଳକ ଦୁଇ, ନଳୀଭୂଜ ହସ୍ତରେ-ଚାରି, କୁଣ୍ତଳ-ଚାରି, ତଡଗି-ଦୁଇ ।
ଏହି ବେଶରେ ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ଲାଗେ । ଫୁଲଠାରୁ ଅଧିକ ସୁବର୍ଣ୍ଣ ଅଳଙ୍କାର ଲାଗେ । ହସ୍ତରେ ନଳୀଭୂଜ ଲଗାଯାଏ । ମହାପ୍ରଭୁଙ୍କର ଚୂଳରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ ତ୍ରିମୁଣ୍ତି ଉପରେ ରହିଥାଏ । ଚୂଳର ଅଗ୍ର ଭାଗରେ ଚନ୍ଦ୍ରିକା ଶୋଭାପାଏ । କର୍ଣ୍ଣଦେଶରେ କୁଣ୍ତଳ, କଟିଦେଶରେ ଓଡିଆଣୀ, ମସ୍ତକରେ ତଡଗି, ସହିତ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର, ସୁନା ଅଳଙ୍କାର ସହ ପାଟଶାଢୀ, ଫୁଟା ଶିରିକପଡା, ପହରଣ, ବଳା, ଅଧରବଳା, ଓ ଉତ୍ତରୀୟ ଲାଗିହୁଏ । ଏହି ସମୟରେ ଏକ ଅଧିକ ଭୋଗ ବାଳଭୋଗ ହୁଏ ।
କାର୍ତ୍ତିକ ପଞ୍ଚୁକ ସମୟରେ ରାଧାଦାମୋଦର ବେଶ ନ ହୋଇ ଅନ୍ୟ ପାଞ୍ଚଗୋଟି ବେଶ ହୁଏ । ଯଥା – ଲକ୍ଷ୍ମୀ ନାରାୟଣ ବେଶ, ବାଙ୍କଚୂଳ ବେଶ, ତ୍ରିବିକ୍ରମ ବେଶ, ଲକ୍ଷ୍ମୀନୃସିଂହ ବେଶ ଓ ରାଜରାଜେଶ୍ୱର ବେଶ । ସୌଭାଗ୍ୟବସତଃ ଏହି ବର୍ଷ ପଞ୍ଚୁକ ୫ ଦିନ ନହୋଇ ୬ ଦିନ ପଡୁଥୁବାରୁ ଏହି ବର୍ଷ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ଜଗନ୍ନାଥ ମହାପ୍ରଭୁଙ୍କ ମୁଖ କଳା ହେତୁ ସେ କୃଷ୍ଣ ଓ ତଳଭାଗଟି ଧଳା ହେତୁ ତାହା ରାଧା ଭାବରେ ଚିହ୍ନିତ ହୁଅନ୍ତି । ଏଣୁ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଅନୁଷ୍ଠିତ ହେଉଛି । ରାଧାଦାମୋଦର ବେଶ କେବେଠାରୁ ଅନୁଷ୍ଠିତ ହେଲା ତାହା କହିବା କଷ୍ଟକର । ନିମାର୍କାଚାର୍ଯ୍ୟ ରାଧାକୃଷ୍ଣ ଯୁଗଳ ମୂର୍ତ୍ତିର ଉପାସକ ଥିଲେ । ବିଷ୍ଣୁ ସହସ୍ରନାମ ଅନୁସାରେ କୃଷ୍ଣଙ୍କୁ ଦଉଡିରେ ଯଶୋଦା ବାନ୍ଧି ଦେଇଥିଲେ ବୋଲି ତାଙ୍କର ନାମ ଦାମୋଦର । ରାଧାଦାମୋଦର ବେଶ ରାଧାକୃଷ୍ଣଙ୍କ ଅପୂର୍ବ ଲୀଳାର ପରିଚୟ ଦେଇଥାଏ । ଏହି ବେଶ ବୋଧହୁଏ ନିମାର୍କାଚାର୍ଯ୍ୟରୁ ଆରମ୍ଭ ହୋଇଥାଇପାରେ । ଏପରିକି ନିମାର୍କାଚାର୍ଯ୍ୟ ମଠରେ ରହୁଥିବା ଜୟଦେବ ମଧ୍ୟ ରାଇଦାମୋଦର ଯୁଗଳ ମୂର୍ତ୍ତିର ଉପାସକ ଥିଲେ ।