ନୂଆପଡ଼ା, ନୂଆପଡ଼ା ଜିଲ୍ଲା ସିନାପାଲି ଗାୟତ୍ରୀ ମନ୍ଦିର ଠାରେ ଗତ ମହାଳୟା ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ନବରାତ୍ର ଉତ୍ସବ ଗୁରୁବାର ମହାନବମୀରେ ଉଦଯାପିତ ହୋଇଛି । ନବରାତ୍ର ପାଳନ ଅବସରରେ ନଅଦିନ ଧରି ଚାଳିଶ ଜଣ ସାଧକଙ୍କ ଦ୍ବାରା ପ୍ରତ୍ୟେହ ଜପ, ଯଜ୍ଞ, ଭଜନ, କିର୍ତ୍ତନ, ସତସଙ୍ଗ ଆଦି କାର୍ଯ୍ୟ ନିଷ୍ଠାର ସହ ସମ୍ପନ୍ନ ହୋଇଥିଲା । ସ୍ଥାନୀୟ ତଥା ଓଡ଼ିଶା ବାହାରୁ ୧୫୧ ଜଣ ଶ୍ରଦ୍ଧାଳୁ ନିଜ ମନସ୍କାମନା ପୂର୍ଣ୍ଣ ନିମନ୍ତେ ମନ୍ଦିରରେ ଅଖଣ୍ତ ଦୀପ ପ୍ରଜ୍ଜଳନ କରିଥିଲେ । ଗୁରୁବାର ନବରାତ୍ର ଉଦଯାପନ ଉପଲକ୍ଷେ ମନ୍ଦିର ପରିସରରେ ନଅ କୁଣ୍ତିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଦୁଇ ଜଣ ଶିଶୁଙ୍କ ବିଦ୍ୟାରମ୍ଭ, ତିନି ଜଣ ଗର୍ଭବତୀଙ୍କ ଗର୍ଭ ସଂସ୍କାର, ତିନି ଜଣ କିଶୋରୀଙ୍କ କୁମାରୀ ବ୍ରତ ଓ ୧୫ ଜଣ କୁମାରୀଙ୍କ ଘିଅଗୁଡ଼ ସେବନ କରାଯାଇଥିଲା ।
ନଅଦିନ ବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସିନାପାଲି ଗାୟତ୍ରୀ ପିଠର ସଭାପତି ଶଶିଶେଖର ମାଝୀ, ଉପସଭାପତି ତରୁଣ କୁମାର ମେହେର, ସମ୍ପାଦକ ତ୍ରୀନାଥ ମେହେର ପ୍ରତ୍ୟେକ୍ଷ ତତ୍ୱାବଧାନ କରିଥିଲେ । କାର୍ଯ୍ୟକ୍ରମ ପରିଚିଳନାରେ ଟୋଲି ନାୟକ, ତରୁଣ ମେହେର, ସଂଗୀତଜ୍ଞ ତ୍ରୀନାଥ ମେହେର, କଳାକାର ସନ୍ତୋଷ ନାଏକ, ପ୍ରମୋଦ ଧିବର , ହରେକୃଷ୍ଣ ମେହେର ପ୍ରମୁଖ ସହଯୋଗ କରିଥିଲେ । ପୂଜନ ଦାୟିତ୍ୱରେ ବରିଷ୍ଠ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମେହେର, ଦୟାରାମ ମେହେର, ସଂସ୍କାର କାର୍ଯ୍ୟ ସଂପାଦନାରେ ଲମ୍ୱୋଦର ମେହେର, ରିପୁଚନ୍ଦ୍ର ମେହେର ଓ କୁମାରୀ କନ୍ୟା ପୂଜନ ଏବଂ ଭୋଜନ କାର୍ଯ୍ୟକୁ ହିରାଲାଲ ଅଗ୍ରୱାଲ, ମୁନେଶ ଅଗ୍ରୱାଲ ପରିଚାଳନା କରିଥିଲେ । ଏହି ଅବସରରେ ଦୀର୍ଘଦିନ ଧରି ନିଷ୍ଠାର ସହ ମନ୍ଦିରର ଭୋଜନ କାର୍ଯ୍ୟରେ ସହଯୋଗ କରିଆସୁଥିବା ଉଲଟୁ ମେହେରଙ୍କୁ ମନ୍ଦିର କମିଟି ତରଫରୁ ସମ୍ୱର୍ଦ୍ଧିତ କରାଯାଇଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ, ୧୯୮୧ ମସିହାରେ ଯୁଗପୁରୁଷ ପଣ୍ତିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ କରକମଳରେ ସିନାପାଲି ଗାୟତ୍ରୀ ମନ୍ଦିର ପ୍ରତିଷ୍ଠା ହେଲା ଦିନଠାରୁ ଅଂଚଳରେ ଆଧ୍ୟାତ୍ମିକ, ସାଂସ୍କୃତିକ କ୍ଷେତ୍ର ସହ ବିଭିନ୍ନ ପ୍ରକାର ସାମାଜିକ ସଂସ୍କାର ଦିଗରେ ଏହି ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି । ବର୍ତ୍ତମାନର ଯୁବବର୍ଗ ଏ ଦିଗରେ ଅଧିକ ସଂଖ୍ୟାରେ ମନୋନିବେଶ କରୁଥିବାରୁ ଏହା ଅଂଚଳ ପାଇଁ ଶୁଭସୂଚନା ବୋଲି ବୁଦ୍ଧିଜୀବୀ ମାନେ ମତପୋଷଣ କରନ୍ତି । ଏହି ନବରାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ଅନ୍ୟ ମାନଙ୍କ ମଧ୍ୟରେ ଦିନେଶ ମେହେର, ଡମ୍ୱରୁଧର ମେହେର, ରମେଶ ମେହେର, ଶ୍ରୀକାନ୍ତ ମେହେର, ଜିତେନ୍ଦ୍ର ମେହେର, ନମିତା ମେହେର, ଡେଜି ମେହେର, ଗୀତା ମେହେର, ପୁଷ୍ପାଞ୍ଜଳି ସା, କୁନି ମେହେର, ମୁନି ମେହେର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ସାମୁହିକ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।