ଭୁବନେଶ୍ୱର, ପୂଜା ଛୁଟି ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ଏବଂ ପଂଚାୟତିରାଜ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି । ଉଭୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇ ସବୁ ଶ୍ରେଣୀଗୃହ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକ ଓ ପିଲାଙ୍କୁ ସାନିଟାଇଜର, ମାସ୍କ ଯୋଗାଇ ଦିଆଯିବ । ବିପଦଶଙ୍କୁଳ ଛାତ ମଧ୍ୟ ତୁରନ୍ତ ସଜାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଦୀର୍ଘ ଅଠର ମାସ ପରେ ରାଜ୍ୟରେ ବିଦ୍ୟାଳୟ ଖୋଲିବାକୁ ଯାଉଛି ।ଏହି ସମୟର ପାଠପଢ଼ା କ୍ଷତିର ଭରଣା କରାଯିବ । ପ୍ରତିଦିନ ଘଂଟାଏ ଲେଖାଏଁ ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ରିମେଡିଆଲ କ୍ଲାସ କରାଯିବ । ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ । ସକାଳ ୯ଟା ରୁ ଆସି ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ସୁଦ୍ଧା ସୁଦ୍ଧା ଘରକୁ ଯିବେ । ବିଦ୍ୟାଳୟ ଖୋଲିବା ପୂର୍ବରୁ ଏସ ଏମ ସି ଓ ବିଦ୍ୟାଳୟ କର୍ତୃପକ୍ଷ ମଧ୍ୟରେ ବୈଠକ ଡକାଯିବ । ପଂଚାୟତରାଜ ବିଭାଗର ତୃଣମୂଳ ସଦସ୍ୟମାନଙ୍କ ସହ ମିଶି ସ୍କୁଲର ଭିତିଭୂମିକୁ ସଜାଡ଼ିବା, ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏସଓପିକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । ଏହାଛଡ଼ା ସ୍କୁଲ ସଫେଇ ଓ କୋଭିଡ ନିର୍ଦେଶାବଳୀ ପାଳନ ଉପରେ ଗୁରୁତ୍ୱ ଦିଆଯିବ । ଡିଇଓ, ଡିପିସି ଏବଂ ବିଇଓ ନିୟମ ପାଳନ ନେଇ ତଦାରଖ କରିବେ ଏବଂ ଓସେପାକୁ ରିପୋର୍ଟ ଦେବେ ବୋଲି ଏଥିରେ କୁହାଯାଇଛି ।
ଅପରପକ୍ଷରେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ସ୍କୁଲ ପିଲାଙ୍କର ଲକ୍ଷଣ ଅଛି କି ନାହିଁ, ଶିକ୍ଷକମାନେ କୋଭିଡ୍ ଟିକା ନେଇଛନ୍ତି କି ନାହିଁ ଅନୁଧ୍ୟାନ କରାଯିବ । ଅଭିଭାବକମାନେ ମଧ୍ୟ ତୀକ୍ଷ୍ଣ ନଜର ରଖିବେ । ସ୍କୁଲ ପିଲାଙ୍କୁ ଟୀକା ଦିଆଯାଇନାହିଁ । ଏବେ ସ୍କୁଲ ଖୋଲୁଛି । ତେଣୁ ବଡ଼ ଲୋକଙ୍କ ଠାରୁ ଛୁଆଙ୍କୁ କରୋନା ବ୍ୟାପିବାର ସମ୍ଭାବନା ଥାଏ, ତେଣୁ ସମସ୍ତେ ସଚେତନ ହେବା ଜରୁରୀ । ସ୍କୁଲର ଶିକ୍ଷକ, ଅଭିଭାବକ ସମସ୍ତେ ଟିକା ନେଇଯିବା ଜରୁରୀ । ପିଲାମାନଙ୍କ ଭିତରେ ବାରମ୍ବାର ସଚେତନତା ବଢ଼େଇବା ଆବଶ୍ୟକ ।