ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲାର ଖଣି ଅଞ୍ଚଳ ଗୁଡିକରେ ବସବାସ କରୁଥିବା ଗରିବ ଆଦିବାସୀ ଶ୍ରେଣୀର ଲୋକଙ୍କ ଉପରେ ପ୍ରଶାସନର ନଜର ନାହିଁ । କହିବାକୁ ଗଲେ ଅପହଞ୍ଚ ଅଞ୍ଚଳରେ ଭୁଶୁଡ଼ି ପଡ଼ିଛି ସରକାରଙ୍କ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ସେବା । ଗାଁକୁ ରାସ୍ତା ନଥିବା କାରଣରୁ ପୁଣି ଗୁରୁତର ଅବସ୍ଥାରେ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚିଲେ ଯନ୍ତ୍ରଣା ଛଟପଟ୍ ଗର୍ଭବତୀ ମହିଳା । ଏହିଭଳି ଦୁଃଖଦ ଘଟଣା ବାରମ୍ବାର କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳେ । ହରିଚନ୍ଦନପୁର ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ ଭାବେ ବେଶ୍ ପରିଚିତ ଥିବା ବେଳେ କେତେକ ଗାଁକୁ ପାଦଚଲା ବାଟ ଛଡ଼ା ଆଉ କୈାଣସି ବିକଳ୍ପ ନାହିଁ । ଯାହାର ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ ଖାତା କଲମରେ ନଥିବା ଅନୁମାନ କରାଯାଉଛି । ଗତ ଗୁରୁବାର ଟାଙ୍ଗିରିଆପାଳ ପଞ୍ଚାୟତ ଗଦୁଆଁ ଗ୍ରାମର ମାମୁଳୀକା ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାହିର ରମେଶ ନାଏକଙ୍କ ପତ୍ନୀ ପଦ୍ମାବତୀ ନାଏକ(୨୫) ନାମକ ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ ଦୀର୍ଘ ସମୟ ଧରି ଛଟପଟ୍ ହେଉଥିଲେ । ଦୁଃଖର ବିଷୟ ତାଙ୍କ ପାଖରେ ମମତା କାର୍ଡ, ଆଧାର କାର୍ଡ, ସ୍ବାସ୍ଥ୍ୟ କାର୍ଡ ଭଳି କୌଣସି ଆବଶ୍ୟକୀୟ ପ୍ରମାଣ ପତ୍ର ନାହିଁ । ଯାହାକୁ ନେଇ ସେ କୌଣସି ଡାକ୍ତରଖାନାକୁ ନେଇ ପାରିନଥିଲେ, ଅନ୍ୟପଟେ ଏଠାରେ ଥିବା ଆଶା ପଦବୀ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଦୀର୍ଘ ଦିନ ହେବ ଖାଲି ପଡିଛି । ଫଳରେ ଉକ୍ତ ପରିବାର ଲୋକେ ସ୍ବାସ୍ଥ୍ୟକେନ୍ଦ୍ର ନେବା ପାଇଁ ଉପାୟ ଶୂନ୍ୟ ହୋଇ ଚୁପଚାପ୍ ବସି ରହିଥିଲେ । ତେବେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଦୀର୍ଘ ସମୟ ଧରି ଅଧିକରୁ ଅଧିକ ହେବାରୁ ସ୍ଥାନୀୟ କିଛି ଯୁବକ ନିକଟ ଅଞ୍ଚଳର ଯୁବ ସାମ୍ବାଦିକ ଉଦୟ ନାଥ ପାତ୍ରଙ୍କୁ ଘଟଣା ସମ୍ପର୍କରେ ଜଣାଇ ଥିଲେ । ଘଟଣାର ଖବର ପାଇ ଉକ୍ତ ଯୁବ ସାମ୍ବାଦିକ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ବିଭାଗୀୟ ବିଭିନ୍ନ ଅଧିକାରୀଙ୍କ ସହ ୧୦୮ ଆମ୍ବୁଲାନ୍ସକୁ ଫୋନ୍ ଯୋଗେ ଘଟଣା ସମ୍ପର୍କରେ ଜଣାଇଥିଲେ । ଗାଁକୁ ରାସ୍ତା ନଥିବା କାରଣରୁ ଯୁବ ସାମ୍ବାଦିକ ଜଣଙ୍କ ଗ୍ରାମର କିଛି ଯୁବକଙ୍କ ସାହାଯ୍ୟରେ ଖଟିଆ ଯୋଗେ ବୋହି ୧୦୮ ଆମ୍ବୁଲାନ୍ସ ପାଖକୁ ଆଣିଥିଲେ । ବିଭାଗର ସାହାଯ୍ୟ କ୍ରମେ ଗଦୁଆ ଗ୍ରାମର ଆଶା ସାବିତ୍ରୀ ଲୋହାର୍ ଗର୍ଭବତୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ସହ ସ୍ବାସ୍ଥ୍ୟ ପରୀକ୍ଷା ଓ କୌଣସି ଆବଶ୍ୟକୀୟ ପ୍ରମାଣ ପତ୍ର ନଥିବା କାରଣରୁ ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏଠାରେ ବଡ଼ ପ୍ରଶ୍ନ ଯେ ହରିଚନ୍ଦନପୁର ବ୍ଲକରେ କାୟା ବିସ୍ତାର କରିଥିବା ଟାଟା ଷ୍ଟିଲ ପ୍ଲାଣ୍ଟ ଓ ଓଏମସି ଖଣି ଦ୍ଵାରା ଆଦିବାସୀ ଲୋକେ ପ୍ରଭାବିତ ହେଉଥିବା ବେଳେ ଏଠାରେ ବିକାଶର ପାଦ ଚିହ୍ନ ପଡୁନାହିଁ । ନିଜ ନିଜର ଭିଟାମାଟି ଛାଡି ଅତି ଦୁର୍ଦ୍ଦିନରେ ଦିନ କାଟୁଥିବା ବେଳେ ସେପଟେ ଜିଲ୍ଲା ଖଣିଜ ପାଣ୍ଠିକୁ ଅପବ୍ୟବହାର କରାଯାଉଥିବା ଅଭିଯୋଗ ରହିଛି । ପ୍ରତ୍ୟେକ ଦିନ ରାଜସ୍ବକୁ ଜୀବିତ କରୁଥିବା ହରିଚନ୍ଦନପୁର ବ୍ଲକର ଏମିତି ଅନେକ ଗାଁ ରହିଛି ଯାହାକି ପୁରୁଷ ପରେ କେତେ ପୁରୁଷ ଗଲେଣି ହେଲେ ମୌଳିକ ଅଧିକାରରୁ ବଞ୍ଚିତ ହୋଇ ରହୁଛନ୍ତି । ଦେଖିବାକୁ ବାକି ରହିଲା ଏହି ବ୍ଲକର ଅପହଞ୍ଚ ଅଞ୍ଚଳ ଗୁଡିକ ପ୍ରତି ସରକାର କିମ୍ବା ପ୍ରଶାସନ ଦୃଷ୍ଟି କେବେ ପଡୁଛି, ଗରିବ ଆଦିବାସୀ ମୌଳିକ ଅଧିକାର ପାଉଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାସମ୍ଭବ ଖଣିଜ ପାଣ୍ଠିରୁ କିଛି ଅନୁଦାନ ପ୍ରଦାନ କରି ପ୍ରଥମେ ତ ଯାତାୟାତ ସୁବିଧା ଯୋଗାଇ ଦେବାକୁ ବୁଦ୍ଧିଜୀବି ମହଲରେ ଅନୁରୋଧ ସହ ଦାବି ହୋଇଛି ।