
ନୂଆଦିଲ୍ଲୀ, ଦେଶରେ ଭିତ୍ତିଭୂମିର କାୟାକଳ୍ପ ପରିବର୍ତ୍ତନ ପାଇଁ ଏକ ଐତିହାସିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ‘ପିଏମ ଗତିଶକ୍ତି-ବହୁମୁଖି ଯୋଗାଯୋଗ (ମଲ୍ଟିମୋଡାଲ କନେକ୍ଟିଭିଟି) ପାଇଁ ଜାତୀୟ ମାଷ୍ଟର ପ୍ଲାନ’ର ଶୁଭାରମ୍ଭ କରିବେ ।
ବିଭିନ୍ନ କାରଣ ଯୋଗୁ ବହୁ ଦଶନ୍ଧି ଧରି ଭାରତରେ ଭିତ୍ତିଭୂମି ନିର୍ମାଣ ବାଧାପ୍ରାପ୍ତ ହୋଇଆସୁଥିଲା। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ରହୁଥିଲା, ଉଦାହରଣ ସ୍ୱରୂପ, ଥରେ ରାସ୍ତା ନିର୍ମାଣ ହୋଇସାରିବା ପରେ, ଅନ୍ୟ ଏଜେନ୍ସିଗୁଡ଼ିକ ଭୂତଳ କେବୁଲ ବିଛାଇବା, ଗ୍ୟାସ ପାଇପଲାଇନ ବିଛାଇବା ଆଦି କାମ ପାଇଁ ରାସ୍ତା ଖୋଳି ଦେଇଥାନ୍ତି । ଏହା କେବଳ ଅଧିକ ଅସୁବିଧା ସୃଷ୍ଟି କରୁନଥିଲା ବରଂ ଅଯଥା ଖର୍ଚ୍ଚ ମଧ୍ୟ ବଢ଼ାଉଥିଲା । ଏହାର ସମାଧାନ ପାଇଁ ସମସ୍ତ କେବୁଲ, ପାଇପଲାଇନ ଆଦିରେ ସମନ୍ୱୟ ବଢ଼ାଇବା ଲାଗି ପ୍ରୟାସ କରାଯାଉଥିଲା । ଦୀର୍ଘ ସମୟ ଅବଧି, ଅନୁମୋଦନ ପ୍ରକ୍ରିୟା, ନିୟାମକ ମଞ୍ଜୁରି ଜନିତ ଜଟିଳତା ଆଦି ଭଳି ଅନ୍ୟ ସମସ୍ୟାର ସମାଧାନ ଲାଗି ମଧ୍ୟ ପ୍ରଦକ୍ଷେପ ଗ୍ରହଣ କରାଯାଉଥିଲା । ବିଗତ ସାତ ବର୍ଷ ଧରି, ସରକାର ସାମଗ୍ରିକ ଆଭିମୁଖ୍ୟ ନେଇ ଭିତ୍ତିଭୂମି ନିର୍ମାଣ ଉପରେ ଅଭୂତପୂର୍ବ ଭାବେ ଗୁରୁତ୍ୱାରୋପ କରିଆସିଛନ୍ତି ।
ବୃହତ ଭିତ୍ତିଭୂମି ପ୍ରକଳ୍ପ ପାଇଁ ସାମଗ୍ରିକ ଯୋଜନା ପ୍ରସ୍ତୁତିକୁ ସଂସ୍ଥାଗତ ରୂପ ଦେବା ମାଧ୍ୟମରେ ପିଏମ ଗତିଶକ୍ତି ଅଂଶୀଦାରମାନଙ୍କ ଲାଗି ଅତୀତର ସବୁ ସମସ୍ୟା ଦୂର କରିବ । ପୃଥକ ପୃଥକ ଭାବେ ଯୋଜନା ଏବଂ ଡିଜାଇନ ପ୍ରସ୍ତୁତ କରି ବାଧା ଉତ୍ପନ୍ନ କରିବା ପରିବର୍ତ୍ତେ ଗୋଟିଏ ସାଧାରଣ ଦୃଷ୍ଟି ନେଇ ପ୍ରକଳ୍ପଗୁଡ଼ିକ ଡିଜାଇନ ଏବଂ କାର୍ଯ୍ୟକାରୀ କରାଯିବ । ଏହା ଭାରତମାଳା, ସାଗରମାଳା, ଅନ୍ତର୍ଦେଶୀୟ ଜଳମାର୍ଗ, ଶୁଷ୍କ/ଭୂମି ବନ୍ଦର, ଉଡ଼ାନ ଆଦି ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଭିତ୍ତିଭୂମି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବ । ବୟନ କ୍ଲଷ୍ଟର, ଫାର୍ମାସ୍ୟୁଟିକାଲ କ୍ଲଷ୍ଟର, ପ୍ରତିରକ୍ଷା କରିଡର, ଇଲେକ୍ଟ୍ରୋନିକ ପାର୍କ, ଶିଳ୍ପ କରିଡର, ଫିଶିଂ କ୍ଲଷ୍ଟର, କୃଷି ଜୋନଗୁଡ଼ିକୁ ଏଥିରେ ସାମିଲ କରାଯାଇ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଅଣାଯିବ ଏବଂ ଭାରତୀୟ ବ୍ୟବସାୟକୁ ଅଧିକ ପ୍ରତିଦ୍ୱନ୍ଦ୍ୱୀ କରାଯିବ । ବିଆଇଏସଏଜି-ଏନ (ଭାସ୍କରାଚାର୍ଯ୍ୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ ଆପ୍ଲିକେସନ ଆଣ୍ଡ ଜିଓ-ଇନଫରମେଟିକ୍ସ) ଦ୍ୱାରା ବିକଶିତ ଭୂ-ସ୍ଥାନିକ ଯୋଜନା ଉପକରଣ ସହିତ ଇସ୍ରୋ ଇମେଜିଂକୁ ବ୍ୟବହାର କରାଯାଇ ଏହା ପ୍ରଯୁକ୍ତିର ମଧ୍ୟ ବ୍ୟାପକ ଉପଯୋଗ କରିବ ।