ମାଲକାନଗିରି, ମାଲକାନଗିରି ଜିଲ୍ଲା ଗସ୍ତରେ ଡିଜିପି ଅଭୟ । ଆଉ ତାଙ୍କ ସହ ପହଞ୍ଚିଛନ୍ତି ଇଣ୍ଟେଲିଜେନ୍ସ ଡ଼ାଇରେକ୍ଟର ଲଳିତ ଦାସ, ଇଣ୍ଟେଲିଜେନ୍ସ ଆଇଜି ଅମିତାଭ ଠାକୁର, ଏସଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂ ଏବଂ ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ । ତେବେ ଗତକାଲି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରେ ପୋଲିସ – ମାଓବାଦୀ ଗୁଳିବିନିମୟ ହୋଇଥିଲା । ପୋଲିସର ଏନକାଉଣ୍ଟରରେ ତିନି ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରୁ ଏସଏଲଆର ବନ୍ଧୁକ, କାରବାଇନ ଭଳି ତିନୋଟି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ । ଏନେଇ ଆଜି ଡିଜିପି ଅଭୟ ପହଞ୍ଚି ପ୍ରଥମେ ଅପରେସନରେ ଯାଇଥିବା ଏସଓଜି ଏବଂ ଡିଭିଏଫ ଯବାନଙ୍କ ସହ ଆଲୋଚନା କରିବା ସେମାନଙ୍କୁ ପ୍ରଶଂସା କରିଥିଲେ । ତାପରେ ମାଲକାନଗିରି ଏସପି, ବିଏସଏଫର ଅଧିକାରୀ ଏବଂ ଅନ୍ୟ ପୋଲିସ ଅଧିକାରୀଙ୍କ ସହ ରୁଦ୍ଧ କୋଠରୀରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା । ଏଥିରେ ମାଓ ଦମନ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା ।
ପରେ ଅଭୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି କହିଥିଲେ ଯେ, ଗତକାଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଦିଆଯାଇଥିବା ତଥ୍ୟ ଭୁଲଥିଲା । ଅର୍ଥାତ, ଗତକାଲି କୁହାଯାଇଥିଲା ଯେ, ତିନି ମୃତ ମାଓବାଦୀଙ୍କ ମଧ୍ୟରୁ ଦୁଇ ମହିଳା ଏବଂ ଜଣେ ପୁରଷ ମାଓବାଦୀ ରହିଛନ୍ତି ।ଆଜି ପୁଣି ଘଟଣାକୁ ନେଇ ଡିଜିପି ସ୍ପଷ୍ଟିକରଣ ଦେଇ କହିଛନ୍ତି ଯେ, ମୃତ ମାଓବାଦୀମାନଙ୍କ ମଧ୍ୟରୁ ଦୁଇ ପୁରୁଷ ଏବଂ ଜଣେ ମହିଳା ମାଓବାଦୀ ଅଛନ୍ତି ଏବଂ ଏମାନଙ୍କ ପରିଚୟ ମିଳିଥିବା ପ୍ରକାଶ କରିଛନ୍ତି ଅଭୟ । ତେବେ ମୃତ ମାଓବାଦୀମାନଙ୍କ ମଧ୍ୟରେ ମାଓବାଦୀ ସଂଗଠନର ସମ୍ପାଦକ ଅନିଲ ଓରଫ, କିଶୋର ଓରଫ ମୁକା ସୋଡି (ଜଣେ ବ୍ୟକ୍ତି)ଙ୍କ ଘର କାଲିମେଲାର ସୁଧାକୋଣ୍ଡା ହୋଇଥିବା ବେଳେ ଏସଏମ ଥିବା ସୋନି, ଛତିଶଗଡର ମାଓନେତ୍ରୀ ଥିଲେ । ସେହିଭଳି ପାର୍ଟି ମେମ୍ବର ମାଓନେତ୍ରୀ ଚିନ୍ନା ରାଓ , ଅରୁଣାର ସୁରକ୍ଷା ଦଳ ସହିତ କାମ କରୁଥିବା ଜଣାପଡିଛି । ଅନିଲ ନାମରେ ୫ ଲକ୍ଷ ଓ ସୋନି ନାମରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।