
-
ସତର୍କ ରହିବାକୁ ପୁଣି ଥରେ ଅପିଲ କଲେ ସ୍ୱାସ୍ଥ୍ୟ ନିର୍ଦେଶକ
ଭୁବନେଶ୍ବର, ଭୁବନେଶ୍ବରରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉ ନାହିଁ । ରାଜ୍ୟରେ ଚିହ୍ନଟ ହେଉଥିବା ଦୈନିକ ସଂକ୍ରମଣର ୪୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଆସୁଛି ।ଏହା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଛି ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବାରମ୍ବାର ଚେତାଇବା ସତ୍ତ୍ବେ ଲୋକମାନେ ହାଟ ବଜାରରେ ଭିଡ଼ କରୁଥିବାରୁ ଏପରି ହେଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ପାଣିଗ୍ରାହୀ । ସେ ପୁଣି ଥରେ ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି ।
ସେ କହିଛନ୍ତି ଯେ, ପାର୍ବଣ ସମୟରେ ଗହଳି ନ କରିବା ପାଇଁ ଆମେ ଲୋକ ମାନଙ୍କୁ ସଚେତନ କରାଇବା ସତ୍ତ୍ବେ ହାଟ ଓ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଏହା ଦ୍ୱାରା ପୁଣି ଥରେ ସଂକ୍ରମଣ ବଢିବାର ସମ୍ଭାବନା ଦେଖା ଯାଉଛି । ଗତକାଲି ଭୁବନେଶ୍ୱରରେ ସଂକ୍ରମଣ ଉପର ମୁହାଁ ହୋଇଥିବାର ନଜିର ସାମ୍ନାକୁ ଆସିଛି । ମାତ୍ର ଏପରି ସ୍ଥିତିରେ ଲୋକମାନେ ସଚେତନ ହେଉ ନଥିବାରୁ କମିଶନରେଟ ପୋଲିସକୁ କଟକଣା ବଢ଼ାଇବା ପାଇଁ କୁହାଯାଇଛି । କିପରି ଲୋକମାନେ ବାହାରେ ଗହଳି ନ କରିବେ, ଭିଡ଼କୁ ରୋକି ହେବ ସେ ନେଇ ଯୋଜନା ପ୍ରସ୍ତୁତ କରିବାକୁ ଆମେ ନିର୍ଦ୍ଦେଶ ଦେଇଛୁ । ବାହାରେ ଅଯଥା ଗହଳି କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।