ମାଲକାନଗିରି, ନିରବଚ୍ଛିନ୍ନ ଭାବେ ଦୀର୍ଘ ୩୦ ବର୍ଷ କାଳ କଂଗ୍ରେସରେ ରହିଥିବା ମାଲକାନଗିରି ବ୍ଲକ କଂଗ୍ରେସର ପୂର୍ବତନ ସଭାପତି ନୀଳକଣ୍ଠ ଝୋଲା ତାଙ୍କ ପ୍ରାଥମିକ କଂଗ୍ରେସ ସଦସ୍ୟ ପଦରୁ ଇସ୍ତଫା ପତ୍ର ଆଜି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କୁ ପ୍ରେରଣ କରିଥିବା ଜଣାପଡିଛି । ଫଳରେ ମାଲକାନଗିରି ବ୍ଲକରେ କଂଗ୍ରେସର ଦୁର୍ଗ ଧୀରେ ଧୀରେ ଭୁଶୁଡି ପଡିବାରେ ଲାଗିଛି ।
ସୂଚନାରୁ ପ୍ରକାଶ ଯେ, ନୀଳକଣ୍ଠ ଝୋଲା ଆଦିବାସୀ ସଂପ୍ରଦାୟରେ ଜଣେ ଜଣାଶୁଣା ଟାଣୁଆ ନେତା ଭାବେ ସୁପରିଚିତ । ସେ ୧୯୯୨ ମସିହାରୁ ୧୯୯୭ ମସିହା ପର୍ଯ୍ୟନ୍ତ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ପ୍ରଥମେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲା ପରିଷଦ ସଭ୍ୟ ପଦବୀରେ ନିର୍ବାଚିତ ହୋଇ ୧୯୯୭ ରୁ ୨୦୦୨ ପର୍ଯ୍ୟନ୍ତ ଦାୟିତ୍ବ ନିର୍ବାହ କରି ଜନତାଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କର ଦ୍ରୁତ ଲୋକପ୍ରିୟତା ଯୋଗୁଁ ବୀରଲକ୍ଷ୍ମଣ ପୁର ପଞ୍ଚାୟତରେ ୨୦୦୨ ରୁ ୨୦୦୭ ଏବଂ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଲଗାତର ଭାବେ ଦୁଇ ଥର ସରପଞ୍ଚ ହେବାର ଗୌରବ ଅର୍ଜନ କରିଥିଲେ । ତାଙ୍କର ପ୍ରତ୍ୟେକ୍ଷ ପ୍ରଚେଷ୍ଟାରେ ବୀରଲକ୍ଷ୍ମଣ ପୁର ପଞ୍ଚାୟତରେ ରାସ୍ତା ଘାଟର ନିର୍ମାଣ, ପାନୀୟ ଜଳ ଯୋଗାଣ, ଗ୍ରାମାଞ୍ଚଳକୁ ବିଦ୍ୟୁତିକରଣ ସମ୍ଭବ ହୋଇ ପାରିଥିଲା । ଏହା ବ୍ୟତୀତ ଆଦିବାସୀ ପିଲାମାନଙ୍କ ଉଚ୍ଚ ଶିକ୍ଷା ଲାଗି ସେ ତତ୍ପରତା ଦେଖାଇ ଥାପାଗୁଡା ଗ୍ରାମରେ ପ୍ରତିଷ୍ଠା କଲେ “ସ୍ବାଧୀନତା ସଂଗ୍ରାମୀ ଗଙ୍ଗାଧର ଝୋଲା ଉଚ୍ଚ ବିଦ୍ୟାଳୟ” । ଫଳରେ ପିଲାମାନେ ନିଜ ଗାଁ ନିକଟରେ ଉଚ୍ଚ ଶିକ୍ଷା ପାଇପାରିଲେ । ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସେ ନିଜ ଗ୍ରାମରେ ଥିବା ଜମିକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ଦେଇଥିଲେ । ଶ୍ରୀ ଝୋଲା ଜଣେ ସୁସଂଗଠକ, ସମାଜସେବୀ ଭାବେ ଏ ଅଞ୍ଚଳରେ ଚର୍ଚ୍ଚିତ ଚେହେରା । ଆଜି ସେ କଂଗ୍ରସରୁ ଇସ୍ତଫା ଦେଇଥିବା ଯୋଗୁଁ କଂଗ୍ରେସର ଦୁର୍ଗ ପତନ ଘଟିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।
ଅନ୍ୟ ପକ୍ଷରେ କିଛି ଦିନ ତଳେ କଂଗ୍ରେସର ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ ମଧ୍ୟ ଦଳରୁ ଇସ୍ତଫା ଦେଇଥିଲେ ।