
ପୁରୀ, ଶାକ୍ତ ଗୁଣ୍ଡିଚା କହିଲେ ଶ୍ରୀଜଗନ୍ନାଥ ଚେତନାର ଦୁର୍ଗାମାଧବ ଉପାସନାକୁ ବୁଝାଇଥାଏ । ଦୁର୍ଗା ଓ ମାଧବ ଶବ୍ଦ ଦୁଇଟିର ଏକତ୍ର ସମାବେଶ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ଦେଖିବାକୁ ମିଳେ ଯାହା ଭାରତୀୟ ସଂସ୍କୃତିକୁ ଏକ ଅପୂର୍ବ ଅବଦାନ ଅଟେ ।
ଉତ୍କଳର ପ୍ରତ୍ୟକ ମାଙ୍ଗଳିକ କାର୍ଯ୍ୟରେ ଦୁର୍ଗା ଓ ମାଧବଙ୍କର ସ୍ମରଣ କରାଯାଇଥାଏ । ପୂର୍ବେ ପ୍ରତ୍ୟେକ ଓଡ଼ିଆ ଘର ଦ୍ୱାର ମାନଙ୍କରେ ଦୁର୍ଗମାଧବ ପଟିରେ ଜଗନ୍ନାଥ ଓ ବିମଳାଙ୍କ ପ୍ରତିମୂର୍ତ୍ତି ଚତୁର୍ଭୁଜା ଦୁର୍ଗା ଶୋଭା ପାଉଥିଲେ , ଏହାହିଁ ଥିଲା ଉତ୍କଳର ସଂସ୍କୃତି ଓ ବିଶେଷତ୍ୱ । ଭାରତବର୍ଷରେ ସର୍ବତ୍ର ଶିବଦୁର୍ଗା ଉପାସିତ ହେଉଥିବା ବେଳେ ପୁରୁଷୋତ୍ତମ କ୍ଷେତ୍ରରେ ବିମଳା ଓ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ଏହି ପରମ୍ପରା ଦେଖାଯାଇଥାଏ । ଶାରଦୀୟ ଷୋଡଶ ଦିନାତ୍ମକ ପୂଜାରେ ଦୁର୍ଗା ମାଧବ ଏକତ୍ର ଭଦ୍ରାସନରେ ରୁନ୍ଧା ହୋଇଥାନ୍ତି ଏବଂ ବିମଳା ମନ୍ଦିରରେ ବିଜେ କରିଥାନ୍ତି ।
ଆଶ୍ୱିନ ଶୁକ୍ଳ ପକ୍ଷ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ପ୍ରତିଦିନ ରଥ ଆକୃତି ବିମାନରେ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି, ଏହାକୁ ଶାକ୍ତ ଗୁଣ୍ଡିଚା / ଗୁପ୍ତ ଗୁଣ୍ଡିଚା କୁହାଯାଏ।
” ବିମଳା ସା ମହାଦେବୀ ଜଗନ୍ନାଥାସ୍ତୁ ଭୈରବଃ “
ଶ୍ରୀକ୍ଷେତ୍ର ଏକ ତନ୍ତ୍ରପୀଠ ନାମରେ ପରିଚିତ । କ୍ଷେତ୍ରେଶ୍ୱରୀ ମା ବିମଳା ହେଉଛନ୍ତି ଭୈରବୀ ଓ କ୍ଷେତ୍ରେଶ୍ୱର ଶ୍ରୀ ଜଗନ୍ନାଥ ହେଉଛନ୍ତି ଭୈରବ । “ତ୍ୱମମ୍ବା ସର୍ବଭୂତାନାଂ ଦେବ ଦେବୋ ହରି ପିତା ” । ଉତ୍କଳର ଦୁର୍ଗା ମାଧବ ଉପସନା ମହାମାୟୀ ଦୁର୍ଗାଙ୍କୁ ଜଗତଜନନୀ ଏବଂ ହରିଙ୍କୁ ଜଗତପିତା ରୂପରେ ପ୍ରତିପାଦିତ କରିଛି । ପୁଣି ଯଦି ଆମେ ଅପରାଜିତା ସ୍ତୋତ୍ରକୁ ଅନୁଧ୍ୟାନ କରିବା ସେଥିରେ ପ୍ରାରମ୍ଭରୁ ବିଷ୍ଣୁ ଓ ଦୁର୍ଗାଙ୍କ ସ୍ତୁତି ମିଶ୍ରିତ ଭାବେ ରହିଛି । ସୂକ୍ଷ୍ମ ଦୃଷ୍ଟିରୁ ଦେଖିବାକୁ ହେଲେ ଅଦ୍ଵୈତ ତତ୍ତ୍ୱର ପ୍ରତିପାଦକ ହିଁ ଦୁର୍ଗାମାଧବ ତତ୍ତ୍ୱର ମୌଳିକ ଲକ୍ଷ୍ୟ । ସ୍ଥୂଳତଃ ଶାକ୍ତ ଓ ବୈଷ୍ଣବଙ୍କର ଏଥିରେ ସମନ୍ଵୟ ହେଉଛି ଏହି ଉପସନାର ଲକ୍ଷ୍ୟ ।