ପୁରୀ,ଉତ୍କଳମଣି ପଣ୍ତିତ ଗୋପବନ୍ଧୁ ଦାସଙ୍କ ଜିଲ୍ଲାସ୍ତରୀୟ ୧୪୪ତମ ଜୟନ୍ତୀ ଆଜି ପାଳିତ ହୋଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଓ ଉପ ଜିଲ୍ଲାପାଳ ଭବତାରଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସିଂହଦ୍ବାରସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରିଥିଲେ । ଗୋପବନ୍ଧୁଙ୍କ ତ୍ୟାଗ ଓ ବଳିଦାନର ପଟାନ୍ତର ନାହିଁ । ତାଙ୍କର ନିଷ୍ଠା ଓ ସେବା ନିମନ୍ତେ ଉତ୍କଳମଣି ଉତ୍କଳବାସୀଙ୍କ ପାଇଁ ଚିର ସ୍ମରଣୀୟ ରହିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ସଂସଦର ଶରତ ଜୟସିଂ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ସୌମେନ୍ଦ୍ର ଦାସ, ଗୋବିନ୍ଦ ଚନ୍ଦ୍ର ମହାନ୍ତି, ଉମାବଲ୍ଲଭ ମହାପାତ୍ର, ଶିବ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ କରୋନା ଯୋଦ୍ଧା ସାମ୍ବାଦିକ ସ୍ବର୍ଗତ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଧର୍ମପତ୍ନୀ ପ୍ରିୟବାସିନୀ କରଙ୍କୁ ରାଜ୍ୟ ସରକାରଙ୍କ ସହାୟତାମୂଳକ ରାଶି ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ପରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସୁଭାଷ ଚନ୍ଦ୍ର ନାଥଶର୍ମା ସାକ୍ଷୀଗୋପାଳ ବସଷ୍ଟାଣ୍ତ ସ୍ଥିତ ପଞ୍ଚସଖା ପୀଠ, ବକୁଳବନ, ସମାଧିପୀଠ, ସତ୍ୟବାଦୀ ହାଇସ୍କୁଲ ଓ ସୁଆଣ୍ତୋସ୍ଥିତ ଗୋପବନ୍ଧୁଙ୍କ ଷଠିଘର ଥିବା ପ୍ରତିପୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏଥିସହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଥଶର୍ମା ଗୋପବନ୍ଧୁଙ୍କ ଐତିହ୍ୟ ଗ୍ରାମ ନିର୍ମାଣ କାର୍ଯ୍ୟ ବୁଲି ଦେଖି ବିଭିନ୍ନ ପ୍ରସଙ୍ଗ ଉପରେ ତାଙ୍କ ପରିବାର ସହ ଆଲୋଚନା କରିଥିଲେ ।
ସତ୍ୟବାଦୀ ମଣ୍ତଳ ଉନ୍ନୟନ ଅଧିକାରୀ କ୍ଷୀରୋଦ କୁମାର ବେହେରା, ଗୋପବନ୍ଧୁଙ୍କ ଅଣନାତି ଧିରେନ୍ଦ୍ରନାଥ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।