ପଟ୍ଟାମୁଣ୍ଡାଇ ,କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ଗ୍ରାମପଂଚାୟତର ବଡପଡା ବଜାରରେ ମଦ ଦୋକାନ ଖୋଲାଯିବାକୁ ସରକାର ନିସ୍ପତି କରି ଲାଇସେନ୍ସ ପ୍ରଦାନ କରିଛନ୍ତି ।କିନ୍ତୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ବିରୋଧ କାରଣରୁ ମଦଦୋକାନ ଖୋଲାଯାଇ ପାରିନଥିଲା । ତେବେ ଲାଇସେନ୍ସ ଧାରି ବ୍ୟକ୍ତି ବଡପଡା ବଜାରରେ ମଦ ଦୋକାନ ଖୋଲିନପାରି ବାବର-ମାଳିବସା ରାସ୍ତା ପାର୍ଶ୍ୱରେ ମଦଦୋକାନ ଖୋଲିବାକୁ ମସୁଧା କରି ଏକ ଘର ନିର୍ମାଣ କରୁଛନ୍ତି ।ଏହି ସ୍ଥାନରେ ମଦଦୋକାନ ଖୋଲାଯିବାକୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ପୂନର୍ବାର ବିରୋଧ କରିଛନ୍ତି ।ଆଜି ସ୍ୱୟଂ ସହାୟକ ଗୋଷ୍ଠୀର ସ୍ୱପ୍ନା ଦାଶ,ଜ୍ୟୋତ୍ସ୍ନା ଦାଶ,ଲୋପାମୁଦ୍ରା ଦାସ,କବିତା ଦାସ,ଅନ୍ନପୂର୍ଣ୍ଣା ସାହୁ, ବିଳାସି ସାହୁ, ମମତା ପରିଡା,ପ୍ରଭାବତୀ ପରିଡା, ସୁଜାତା ସାହୁ,ସୌଦାମିନୀ ପଣ୍ଡା,ରେବତୀ ସିଂହ,ମାଳତୀ ସ୍ୱାଇଁ, ମମତାରାଣୀ ସିଂହ, ଭାରତି ସାହୁ ,ରଶ୍ମିତା ସାହୁ,ସରସ୍ୱତୀ ଦସ,ରେଣୁକା ପରିଡା,ଶୁକ ନାୟକ, ସସ୍ମିତା ଦାସ,ଉର୍ମିଳା ନାୟକ, ମାଳତୀ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ମହିଳା ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ସେଠିଙ୍କୁ ଭେଟି ମଦଦୋକାନ ସ୍ଥାନାନ୍ତର ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।ସେମାନଙ୍କ ଅଭିଯୋଗ ଅନୁଯାୟୀ ଯେଉଁ ସ୍ଥାନରେ ମଦଦୋକାନ ଖୋଲା ଯାଉଛି ତାହା ମୁଖ୍ୟ ରାସ୍ତା ଠାରୁ ମାତ୍ର ୨୦ ଫୁଟ ଦୂରରେ ଅବସ୍ଥିତ । ସେତିକି ନୁହେଁ ଏହାର ୨୦୦/୨୫୦ ଫୁଟ ଦୂରରେ ଏହି ଅଂଚଳର ପୂରାତନ ଶିକ୍ଷା ଅନୁଷ୍ଠାନ ଦକ୍ଷିଣେଶ୍ୱର ଉଚ୍ଚବିଦ୍ୟାଳୟ,ଦକ୍ଷିଣେଶ୍ୱର ମହାଦେବ ମନ୍ଦିର, ସମବାୟ ସମିତି ଗୃହ, ପ୍ରେମଲତା ଘରୋଇ ଶିକ୍ଷାନୁଷ୍ଟାନ ଏବଂ ନିକଟରେ ଜନବସତି ରହିଛି । ଏହି ରାସ୍ତା ଦେଇ ଦୈନିକ କଲେଜ ଛାତ୍ରୀଛାତ୍ର ମାନଙ୍କ ସମେତ ଅନେକ ମହିଳା ମଧ୍ୟ ବିଭିନ୍ନ କାର୍ଯ୍ୟ ନେଇ ଯାତାୟତ କରନ୍ତି । ସରକାରୀ ନିର୍ଦ୍ଦେଶନାମାନୁଯାଇ ଶିକ୍ଷାନୁଷ୍ଟାନ ଠାରୁ ମଦ ଦୋକାନ ୫୦୦ ମିଟର ଦୂରରେ ରହିବ କିନ୍ତୁ ଶିକ୍ଷା ଅନୁଷ୍ଠାନ ନିକଟରେ ବେଆଇନ ଭାବେ ଏହି ମଦଦୋକାନ ଖୋଲାଯାଉ ଥିବାରୁ ଏହା କୋମଳମତୀ ଶିଶୁ ,ଶିକ୍ଷାର୍ଥୀ ମାନଙ୍କ ଭବିଷ୍ୟତ ଉଜାଡି ଦେବାର ଆଶଙ୍କା ସୃଷ୍ଟି ହୋଇଛି ।ଜନବସତି ନିକଟରେ ଏହା ଖୋଲାଯାଉ ଥିବାରୁ ପରିବାର ଗୁଡିକୁ ମଧ୍ୟ ଅଶାନ୍ତି ମଧ୍ୟକୁ ଠେଲି ଦେବାର ଆଶଙ୍କା ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଅଭିଯୋଗ କରିଛନ୍ତି ।ଏହି ମଦଦୋକାନ କୁ ଜନଗହଳି ମୁକ୍ତ ସ୍ଥାନକୁ ସ୍ଥାନାନ୍ତର କରାଯିବା ପାଇଁ ମହିଳା ମାନେ ପ୍ରଶାସନ ନିକଟରେ ଦାବି କରିବା ସହିତ ୧୦ ଦିନ ମଧ୍ୟରେ ଏଦିଗରେ ପଦକ୍ଷେପ ଗ୍ରହଣ କରା ନଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଚେତାବନୀ ଦେଇଛନ୍ତି ।