ମାଲକାନଗିରି, ଗତକାଲି ରାତିରେ ୬ ଘଣ୍ଟା ଧରି ଲଗାଣ ବର୍ଷା ଯୋଗୁଁ ବେହାଲ୍ ହୋଇଛି ସମଗ୍ର ମାଲକାନଗିରି ଜିଲ୍ଲା । ଦିନିକିଆ ବର୍ଷାରେ ବୁଡି ଯାଇଛି ଚାରିଟି ପୋଲ । ଏମଭି-୩, ଏମଭି ୭, ଏମଭି-୨ ଓ ପ୍ରଧାନୀଗୁଡା ନଦୀର ପୋଲ ଉପରେ ପ୍ରାୟ ୨ ରୁ ୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ସବୁଠି ପୋଲର ଉଭୟ ପାର୍ଶ୍ବରେ ଯାନବାହାନ ଅଟକି ରହିଛି । ମାଲକାନଗିରି ଠାରୁ ମୋଟୁ ଓ ଛତିଶଗଡ଼ ସୁକୁମା ମଧ୍ୟରେ ସଂଯୋଗ କରୁଥିବା ରାଜପଥ ବିଚ୍ଛିନ୍ନ ହୋଇଯାଇଛି । ବର୍ଷା ଯୋଗୁଁ ଜିଲ୍ଲା ସଦର ମହକୁମାର ବିଭିନ୍ନ ସାହି ଜଳମଗ୍ନ ହୋଇପଡିଛି । ଜିଲ୍ଲା ସଦର ମହକୁମାର ଟେକଗୁଡା ସାହି, ଶ୍ରୀଲଙ୍କା କଲୋନୀ ସାହିରେ ଆଣ୍ଠୁଏ ଲେଖାଏଁ ପାଣି ଚାଲିବା ସହ ଘର ଗୁଡିକରେ ମଧ୍ୟ ପାଣି ଭର୍ତ୍ତି ହୋଇଯାଇଛି । ଯାହା ଫଳରେ ସେହି ଲୋକମାନଙ୍କ ଘରେ ଥିବା ଖାଦ୍ୟ ସହ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି । ଏବେ ବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଲୋକେ ।