ପୁରୀ, ନବରାତ୍ରିର ତୃତୀୟ ଦିବସରେ ଅ।ଜି ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ଶକ୍ତି ପୀଠ ମାନଙ୍କରେ ନବରାତ୍ରିର ତୃତୀୟ ଦିବସର ରୀତିନୀତି ସହ ମାଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ମାଙ୍କ ଚନ୍ଦ୍ରଘଣ୍ଟା ବେଶ ଅନୁଷ୍ଠିତ ହେଉଛି । ଦେବୀ ପାର୍ବତୀଙ୍କ ବିବାହିତ ରୂପ ହେଉଛନ୍ତି ମା ଚନ୍ଦ୍ରଘଣ୍ଟା । ବିବାହ ପରେ ଦେବୀଙ୍କ କପାଳରେ ଘଣ୍ଟାଭଳି ଦିଶୁଥିବା ଅର୍ଦ୍ଧଚନ୍ଦ୍ର ସଜାଉଥିବାରୁ ଏପରି ନାମ ହୋଇଛି । ନବରାତ୍ରିର ତୃତୀୟ ଦିନ ମା ଚନ୍ଦ୍ରଘଣ୍ଟାଙ୍କ ପୂଜା କରାଯାଏ ।
ଦେବୀ ଚନ୍ଦ୍ରଘଣ୍ଟା ଶୁକ୍ର ଗ୍ରହକୁ ନିୟନ୍ତ୍ରଣ କରନ୍ତି । ଏକ ବ୍ୟାଘ୍ରୀ ତାଙ୍କ ବାହାନ, ଦେବୀ ତ୍ରିନେତ୍ରା ଓ ଦଶଭୁଜା ଏବଂ ସୁବର୍ଣ୍ଣବର୍ଣ୍ଣା, ବାମପଟ ଚାରୋଟି ହସ୍ତରେ ତ୍ରିଶୂଳ, ଗଦା, ଖଡ୍ଗ ଓ କମଣ୍ଡଳୁ ଧାରଣ କରିଥାନ୍ତି ତଥା ପଞ୍ଚମ ହସ୍ତ ବରଦ ମୁଦ୍ରାରେ ଥାଏ ।ଦକ୍ଷିଣ ପଟ ଚାରୋଟି ହସ୍ତରେ ପଦ୍ମପୁଷ୍ପ, ଧନୁ, ତୀର ଓ ଜପମାଳା ଧାରଣ କରନ୍ତି ତଥା ପଞ୍ଚମ ହସ୍ତ ଅଭୟ ମୁଦ୍ରାରେ ଶୋଭାପାଏ । ମା’ଙ୍କ ଏହି ରୂପ ସମସ୍ତ ରିପୁଦମନ କରି ଭକ୍ତକୁ ଶକ୍ତି ପ୍ରଦାନ କରିଥାଏ । ବିଶ୍ୱାସ କରାଯାଏ ଯେ ମା’ଙ୍କର ମସ୍ତକରେ ଶୋଭାପାଉଥିବା ଚନ୍ଦ୍ରଘଣ୍ଟାର ଶବ୍ଦ ସମସ୍ତ ଭୂତ ପ୍ରେତ ଓ ଦୁରାତ୍ମାମାନଙ୍କୁ ଦୂର କରି ଦିଅନ୍ତି ।