ନୂଆପଡ଼ା, ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ସ୍ନାତକୋତ୍ତର ରସାୟନ ବିଜ୍ଞାନ ବିଭାଗର ମିଳିତ ଉଦ୍ୟମରେ ପରିବେଶ ସଚେତନ ସମ୍ବନ୍ଧରେ ଏକ ପ୍ରେରଣାଦାୟୀ ବକୃତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧକ୍ଷା ଡ଼. ଅନୁପମା ପାଢ଼ୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସିଏସଆଇଆଇ (ନେରୀ)ର ବିଶିଷ୍ଟ ବୈଜ୍ଞାନିକ ଡ଼. ତୁହିମ ବାନାର୍ଜୀ, ସମ୍ମାନିତ ଅତିଥି ଭାବେ ବୋଡେ଼ନ ବିଜୁ ପଟ୍ଟନାୟକ କଲେଜର ପ୍ରାଧ୍ୟାପକ ସାମୁଏଲ ଦାନୀ, ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼. ତରୁଣ କୁମାର ପ୍ରଧାନ ଯୋଗଦାନ କରିଥିଲେ । ଅଧ୍ୟାପିକା ଓ ଇକୋକ୍ଳବର ସଂଯୋଜିକା ରାଜଲକ୍ଷ୍ମୀ ରଥ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟବକ୍ତା ଦୂଷିତ ଜଳ ବିଶୋଧକ ଉପରେ ପ୍ରେରଣା ଦାୟୀ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସେ ନମାମି ଗଙ୍ଗେ ଠାରୁ ଆରମ୍ବ କରି ଡ୍ରେନ ପାଣି ବିଶୋଧନ ପଯ୍ୟନ୍ତ ବୈଜ୍ଞାନିକ ପଦ୍ଧତିରେ ବିଶୋଧକ ଓ ଉପଯୋଗ ଉପରେ ବକ୍ତବ୍ୟ ରଖିଥିଲେ । ସେ ତାଙ୍କର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ସେହିପରି ପ୍ରାଧ୍ୟାପକ ସାମୂଏଲ ଦାନୀ ମଧ୍ୟ ଜଳ ପ୍ରଦୂଷଣ ଉପରେ ବିଶେଷ ବକ୍ତବ୍ୟ ରଖିଥିଲେ । ଏଥିରେ ଇକୋକ୍ଳବର ସମସ୍ତ ସଦସ୍ୟ , ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କ ସହିତ ରସାୟନ ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଶେଷରେ ଅଧ୍ୟାପିକା ସନ୍ତୋଷୀ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।