ପୁରୀ, ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ସମ୍ପ୍ରତି ନବରାତ୍ର ପୂଜା ଚାଲିଛି । ନବରାତ୍ରିର ଦ୍ୱିତୀୟ ଦିବସରେ ମା ବ୍ରହ୍ମଚାରିଣୀଙ୍କୁ ଆରାଧନା କରାଯାଏ । ମଙ୍ଗଳ ଗ୍ରହ ମା ବ୍ରହ୍ମଚାରିଣୀଙ୍କ ନିୟନ୍ତ୍ରଣାଧିନ ବୋଲି ବିଶ୍ୱାସ ରହିଛି । ମା ନଗ୍ନ ପାଦରେ ବିଚରଣ କରୁଥିବା ରୂପରେ ପୂଜା ପାଆନ୍ତି । ଦେବୀ ଦ୍ୱିଭୁଜା, ଦକ୍ଷିଣ ହସ୍ତରେ ଜପମାଳା ଓ ବାମ ହସ୍ତରେ କମଣ୍ଡଳୁ ଶୋଭାପାଏ । ମହାଦେବଙ୍କୁ ପତି ରୂପରେ ପାଇବା ପାଇଁ ଦେବୀ ପାର୍ବତୀ କଠିନ ତପସ୍ୟା କରିଥିଲେ । ତାଙ୍କର ସେହି ରୂପକୁ ହିଁ ବ୍ରହ୍ମଚାରିଣୀ ଭାବେ ବିବେଚନା କରାଯାଏ ।
ପୁରାଣମାନଙ୍କରେ ବର୍ଣ୍ଣିତ ରହିଛି ଯେ, ଦେବୀ ପାର୍ବତୀ ୧୦୦୦ବର୍ଷ କେବଳ ଫଳ, ପୁଷ୍ପ ଆହାର କରି ସାଧନା କରିଥିଲେ । ଆଉ କେତେକ ପୁରାଣ ଅନୁସାରେ ଦେବୀ ପାର୍ବତୀ ୩୦୦୦ବର୍ଷ କେବଳ ବିଲ୍ୱପତ୍ର ଗ୍ରହଣ କରି ତପସ୍ୟା କରିଥିଲେ ଏବଂ ପରେ ତାହା ମଧ୍ୟ ତ୍ୟାଗ କରିଦେବାରୁ ତାଙ୍କୁ ଅପର୍ଣ୍ଣା ବୋଲି କୁହାଗଲା । ମା ବ୍ରହ୍ମଚାରିଣୀ ଜ୍ଞାନ ଓ ବୁଦ୍ଧିର ଭଣ୍ଡାର, ଭକ୍ତକୁ ସୁଖ, ଶାନ୍ତି, ଯଶ, କୀର୍ତ୍ତି ପ୍ରଦାନ କରନ୍ତି ଏବଂ ମୋକ୍ଷର ମାର୍ଗ ପ୍ରଶସ୍ତ କରନ୍ତି ।