
-
ପଜିଟିଭ୍ ସଂଖ୍ୟା ୧୩୧ ରେ ପହଂଚିଲା
-
ଅଦ୍ୟାବଧି ବ୍ରହ୍ମପୁର ସହରରୁ ୪୦ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ
ଗଞ୍ଜାମ, ଗଞ୍ଜାମ ଜିଲ୍ଲାରେ କରୋନା ପରେ ପରେ ଡ଼େଙ୍ଗୁ ସଂକ୍ରମଣର ଭୟ ଦେଖାଦେଇଛି । ଜିଲ୍ଲାରେ ଦିନକୁ ଦିନ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୮ ତାରିଖରେ ଡ଼େଙ୍ଗୁ ରୋଗୀ ସଂଖ୍ୟା ୧୦୦ ଛୁଇଁଥିଲା । ଏହାର ସପ୍ତାହକ ମଧ୍ୟରେ ୩୦ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ବ୍ଲକରୁ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗତକାଲି ପୁଣି ଥରେ ଦୁଇ ଜଣ ଶିଶୁଙ୍କ ସମେତ ୬ ଜଣଙ୍କ ରକ୍ତ ନମୂନା ପଜିଟିଭ୍ ଆସିଛି । ସେମାନଙ୍କ ମଧ୍ୟରୁ ୪ ଜଣ ବ୍ରହ୍ମପୁର ସହରର ହୋଇଥିବା ବେଳେ ୨ ଜଣ ଚିକିଟି ବ୍ଲକର ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ । ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ଡ଼େଙ୍ଗୁ ପଜିଟିଭ୍ ସଂଖ୍ୟା ୧୩୧ ରେ ପହଂଚିଛି । କ୍ରମଶଃ ଡ଼େଙ୍ଗୁ ପଜିଟିଭଙ୍କ ସଂଖ୍ୟା ବଢୁ ଥିବାରୁ ଏହା ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି ।
ବର୍ତମାନ ସୁଦ୍ଧା ୧୬ ଜଣ ଶିଶୁ ଡ଼େଙ୍ଗୁ ରେ ଆକ୍ରାନ୍ତ ହେଲେଣି । ସେହିପରି ବ୍ରହ୍ମପୁର ସହରରେ ଅଦ୍ୟାବଧି ୯ ଜଣ ଶିଶୁଙ୍କ ସମେତ ମୋଟ୍ ୪୦ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହେଉଥିବା ଅଂଚଳକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଟିମ୍ ଯାଇ ଲୋକଙ୍କୁ ସଚେତନ କରୁଛନ୍ତି । ଏହାର ପ୍ରତିକାର ଓ ପ୍ରତିଶେଧକ ବ୍ୟବସ୍ଥା ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଛି ।ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାରେ ଗତ ୨୦୧୨ ରେ ଡ଼େଙ୍ଗୁ ଆତଙ୍କ ଖେଳାଇ ଦେଇଥିଲା । ସେହିବର୍ଷ ଜିଲ୍ଲାରେ ସର୍ବାଧିକ ୫୩୩ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗତବର୍ଷ ମାତ୍ର ୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୦୧୯ ରେ ୩୦୭ ଜଣ ଡ଼େଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ୨୦୧୮ ରେ ୧୫୫ ଜଣ ଡ଼େଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିଲେ ।