କନ୍ଧମାଳ, ବିଭିନ୍ନ ଦାବୀ ପୂରଣ ନେଇ ଫୁଲବାଣୀ ଏଫସିଆଇ ର ଶ୍ରମିକ ସଂଗଠନ ପକ୍ଷରୁ ଏଫଆଇ ଗୋଦାମ ସମ୍ମୁଖରେ ଧାରଣା ଦିଆଯାଇଛି । ଏହି ଶ୍ରମିକ ମାନେ ବିଭିନ୍ନ ବ୍ଲକ ଓ ପଂଚାୟତକୁ ଏଠାରୁ ଯାଉଥିବା ଚାଉଳ ସବୁ ଲୋଡିଙ୍ଗ ଆଉ ଅନ ଲୋଡିଙ୍ଗ କରି ଦୁଇ ପଇସା ରୋଜ଼ଗାର କରିଥାନ୍ତି । ଏଥିରେ ସେମାନଙ୍କ ପରିବାର ଚଳେ ।
ଏହି ଶ୍ରମିକ ମାନେ ବର୍ତମାନ ଜ଼ିଲ୍ଲାର ୮ ଗୋଟି ବ୍ଲକର ଚାଉଳ ଲୋଡିଙ୍ଗ କରୁଥିଲେ । ଏବେ ଦୁଇଟା ବ୍ଲକର ଚାଉଳକୁ ଜିଲ୍ଲାର କ. ନୂଆଗାଁ ଠାରେ ଥିବା ଏକ ବେସରକାରୀ ଗୋଦାମ ଅଧୀନକୁ ନେଇଯିବା ଫଳରେ ସେମାନଙ୍କ ଜୀବିକା ବିପନ୍ନ ହୋଇପଡିଥିବା ସଂଗଠନ ସଭାପତି କେଶବ ଚନ୍ଦ୍ର ଡିଗାଲ ଓ ସମ୍ପାଦକ ଦଶରଥ ସାହୁ କହିଛନ୍ତି ।
ଏହି ଦୁଇ ବ୍ଲକ ଏଠାରୁ ନ ନେବାକୁ ଦାବୀ କରି ଗତ ସୋମବାର ଠାରୁ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି । ପୂର୍ବଅବସ୍ଥାକୁ ଫେରାଇ ନ ଆଣିବା ଯାଏ ଏହି ଧାରଣା ଚାଲୁ ରହିବ ବୋଲି ସମ୍ପାଦକ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।
କିଛି ବେସରକାରୀ ଗୋଦାମ ମାଲିକ ଚଂଚକତା କରି ଉପର ସ୍ତରରେ ହାତ କରି ଦୁଇଟି ବ୍ଲକକୁ କ. ନୂଆଗାଁ ଅଂଚଳକୁ ନେଇଯାଇଥିବା ଅଭିଯୋଗ କରିଛି ସଂଘ । ଏଣୁ ଯୋଗାଣ ବିଭାଗ କର୍ତ୍ତୃପକ୍ଷ ଏହାର ପୁନଃବିଚାର କରିବାକୁ ଦାବୀ କରିଛି ସଂଗଠନ ।