ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା ଜିଲ୍ଲାର ପ୍ରମୁଖ ବାଣିଜ୍ୟକେନ୍ଦ୍ର ପଟ୍ଟାମୁଣ୍ଡାଇରେ ଶାରଦୀୟ ଦୁର୍ଗାପୂଜା ଉତ୍ସବ ଶାନ୍ତିଶୃଙ୍ଖଳାର ସହିତ କୋଭିଡ ଗାଇଡ଼ଲାଇନ ଅନୁସାରେ ପାଳନ କରିବା ପାଇଁ ଆଜି ପଟ୍ଟାମୁଣ୍ଡାଇ ଥାନା ପରିସରରେ ଆୟୋଜିତ ଦ୍ୱିତୀୟ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଆଜି ମଧ୍ୟ ଅନୁଷ୍ଠିତ ଶାନ୍ତି କମିଟିର ଦ୍ୱିତୀୟ ବୈଠକରେ ପୂର୍ବ ଥର ପରି ବିଭିନ୍ନ ବିଭାଗର ଅଧିକାରୀଙ୍କ ମୁହଁ ଦେଖିବାକୁ ମିଳିନଥିଲା ।
ଗତ ୨୮ ତାରିଖରେ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶାନ୍ତି କମିଟିର ପ୍ରଥମ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଅନୁପସ୍ଥିତ ଥିବା ଦେଖାଯାଇଥିଲା । ଏଥିନେଇ ଶାନ୍ତି କମିଟି ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଶାରଦୀୟ ଦୁର୍ଗାପୂଜା ଉତ୍ସବ ସମୟରେ ସହରରେ ପରିମଳ ବ୍ୟବସ୍ଥା, ରାସ୍ତାଘାଟ ସମସ୍ୟା, ବିଦ୍ୟୁତ ସମସ୍ୟା ଓ ଗାଈଗୋରୁଙ୍କ ପାଇଁ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ସବୁ ସମସ୍ୟାର ସମାଧାନ କରାଯିବ ବୋଲି ତହସିଲଦାର ଓ ଥାନା ଆଇଆଇସି ସଦସ୍ୟ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ବିଭିନ୍ନ ବିଭାଗର ଅଧିକାରୀଙ୍କ ଅନୁପସ୍ଥିତି କିଭଳି ପୂଜାକୁ ଶୃଙ୍ଖଳିତ କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିରେ ମଧ୍ୟ ଲୋକ ପ୍ରତିନିଧି ଓ ଜନପ୍ରତିନିଧି ମାନଙ୍କୁ ଦେଖିବାକୁ ମିଳିନଥିଲା । ବହୁ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ବୈଠକକୁ ଡକାଯାଇନଥିଲା । ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ କୁମାର ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଏସଡ଼ିପିଓ ସନ୍ଧ୍ୟାରାଣୀ ବେହୁରିଆ, ଆଇଆଇସି ତପନ କୁମାର ରାଉତ, ପୌର ନିର୍ବାହୀ ଅଧିକାରୀ ସମ୍ପଦ ସ୍ୱାଇଁ ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଗଣପର୍ବକୁ ଶାନ୍ତିଶୃଙ୍ଖଳାର ସହିତ କୋଭିଡ ଗାଇଡ଼ଲାଇନ ଅନୁସାରେ ପାଳନ କରିବା ପାଇଁ ସଭାପତି ମେଢ଼ କମିଟି ଓ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହଯୋଗ କାମନା କରିଥିଲେ । ସମାଜସେବୀ କିଶୋର ସାହୁ, ଶିକ୍ଷାବିତ ବିଜୟ କୁମାର ସାହୁ, ସାମ୍ବାଦିକ ଅକ୍ଷୟ କୁମାର ସାହୁ, ବିଜୟ କୁମାର ଦାସ, ସଂଗ୍ରାମ ସ୍ୱାଇଁ, ରାଧାମୋହନ ଦାଶ, ରବୀନ୍ଦ୍ର କୁମାର ସାହୁ, ପ୍ରଫୁଲ୍ଲ ବେହେରା ଓ ରମେଶ କୁମାର ଦେ ପ୍ରମୁଖ ମେଢ଼ କମିଟି କର୍ମକର୍ତ୍ତା ଓ ବୁଦ୍ଧିଜୀବୀମାନେ ଯୋଗ ଦେଇ ପୂଜା ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ ପାଇଁ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । କୋଭିଡ କଟକଣା ମଧ୍ୟରେ ପ୍ରତ୍ୟେକ ମେଢ଼ ଚାରି ପାର୍ଶ୍ୱ ପାଲ ଘେର ମଧ୍ୟରେ ପୂଜକ ଓ ମେଢ଼ କର୍ମକର୍ତ୍ତା ଶୃଙ୍ଖଳାର ସହିତ ପୂଜା କାର୍ଯ୍ୟ ସମ୍ପନ୍ନ କରିବା ସହିତ ଭସାଣି କାର୍ଯ୍ୟକ୍ରମ ମଧ୍ୟ ତଦନୁଯାୟୀ ସମ୍ପନ୍ନ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ସହର ମଧ୍ୟରେ ଓ ଅନ୍ୟାନ୍ୟ ଅଂଚଳରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ସହ ସ୍ୱଚ୍ଛ ପରିମଳ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସହର ମଧ୍ୟରେ ଟ୍ରାଫିକ ନିୟନ୍ତ୍ରଣକୁ ସୁସଂଗଠିତ ଓ ଗହଳିମୁକ୍ତ କରିବା ପାଇଁ ସହରକୁ ବୁଲା ଗାଇଗୋରୁ ମୁକ୍ତ କରିବା ପାଇଁ ପୌର ପ୍ରଶାସନ ପଦକ୍ଷେପ ନେବାକୁ ନିଷ୍ପତି ନିଆଯାଇଥିଲା । ପ୍ରତ୍ୟେକ ମେଢ଼ ନିକଟରେ ବାଲି ପକାଇବା ପାଇଁ ମେଢ଼ କମିଟି କର୍ମକର୍ତ୍ତାମାନେ ପ୍ରସ୍ତାବ ଦେଇଥିଲେ । ପୂଜା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପାଟ୍ରୋଲିଂ କଡାକଡି କରିବା ପାଇଁ ନିଷ୍ପତି ନିଆଯିବା ସହିତ ଅସାମାଜିକ ତତ୍ୱଙ୍କ ଉପରେ ପୋଲିସ ପକ୍ଷରୁ କଡା ନଜର ରଖାଯିବାକୁ ପ୍ରସ୍ତାବ ଦିଆଯାଇଥିଲା । ଶେଷରେ ମନୋଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଚଳିତବର୍ଷ ପଟ୍ଟାମୁଣ୍ଡାଇ ସହରରେ ୨୫ଟି ମେଢ଼ ସହିତ କଟାଂବଣ ହାଟ, ମାଳିପୁର, ନୀଳକଣ୍ଠପୁର, ମଦନପୁର, ଅଳପୁଆ, ଅଣ୍ଢରା ଓ ଅମୃତମଣୋହି ଆଦି ବିଭିନ୍ନ ଅଂଚଳରେ ଦୁର୍ଗାପୂଜା ଉତ୍ସବ ପାଳନ କରାଯାଉଥିବା ଜଣାପଡିଛି ।