-
୧୭ ଜୁଆଡ଼ି ଗିରଫ, ୧ ଲକ୍ଷ ୪୮ ହଜାର ଜବତ
ଗଞ୍ଜାମ, ଦଶହରା ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଜୁଆ ଖେଳ ବଢି ଚାଲିଛି । ପରମ୍ପରା ନାମରେ ଚାଲୁଥିବା ଏହି ଜୁଆ ଖେଳକୁ ବନ୍ଦ କରିବା ପାଇଁ ବ୍ରହ୍ମପୁର ଏସପି ପିନାକ ମିଶ୍ର ବ୍ରହ୍ମପୁର ପୋଲିସ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ଜୁଆଖେଳ ଉପରେ ତୀକ୍ଷ୍ନ ନଜର ରଖିଛି । ଗତକାଲି ରାତିରେ ଗୋଷାଣିନୂଆଗାଁ ଥାନା ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୧୭ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧ ଲକ୍ଷ ୪୮ ହଜାର ୫୮୫ ଟଙ୍କା ଜବତ କରିଛି । ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ କଡ଼ରେ ଏହି ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ନେଇ ଖବର ପାଇଥିଲା ପୋଲିସ । ପୋଲିସ ଟିମ୍ ଘଟଣାସ୍ଥଳରେ ଅତର୍କିତ ଭାବେ ଚଢ଼ଉ କରିଥିଲା । ପୋଲିସ ଘଟଣାସ୍ଥଳରୁ ୧୭ ଜଣ ଜୁଆଡ଼ିଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଜୁଆ ଖେଳ ଯୋଗୁଁ ବିଭିନ୍ନ ସମୟରେ ଅପରାଧ ଘଟଣା ନଜରକୁ ଆସୁଛି । ଏଣୁ ଏହାକୁ ମୂଳପୋଛ କରିବା ପାଇଁ ପୋଲିସ ପକ୍ଷରୁ ଚଢ଼ଉକୁ ଜୋରଦାର୍ କରାଯାଇଛି ।