ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ପ୍ରକ୍ରିୟା ନିଷ୍ପତି ବିରୋଧରେ ଓଡିଶା ମଧ୍ୟାହ୍ନ ଭୋଜନ, ପାଚିକା ସହାୟୀକା ସଂଘ (ସିଆଇଟିୟୁ) ନେତୃତ୍ୱରେ ସୋମବାର ଦିନ ଭୁବନେଶ୍ୱର ଲୋୟର ପିଏମ୍ଜି ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଳାରୁ ସମବେତ କର୍ମୀମାନେ ଭୁବନେଶ୍ୱର ମାଷ୍ଟରକ୍ୟାଟିଂନ ଛକରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍ଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
କେ୍ାଭିଡ-୧୯ ମହାମାରୀ ସମୟରେ ଶିକ୍ଷା ବ୍ୟବସ୍ଥାର ଏପରି ମିଶ୍ରଣ କରିବା ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟଜଜନକ ବୋଲି ସଂଗଠନ ତରଫରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରାଯାଇଛି । ତେଣୁ ଏହି ନିଷ୍ପତି ପୁନଃ ବିଚାର କରି ପୁଣି ମିଶ୍ରଣ କାର୍ଯ୍ୟଧାରା ଠାରୁ ବିରତି ରହିବାକୁ ସଂଗଠନର ରାଜ୍ୟ ନେତୃବୃନ୍ଦ ସରକାରଙ୍କଠାରେ ଦୃଢ ଦାବି କରିଛନ୍ତି । ଏତଦବ୍ୟତିତ ପାଚିକା ସହାୟୀକା ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ସହିତ ସର୍ବନିମ୍ନ ୨୧ ହଜାର ଟଙ୍କା ଦରମା, ହାଇକୋର୍ଟର ନିର୍ଦ୍ଦେଶ ମୁତାବକ ୨୮ ମାସର ବକେୟା ଭତା ତୁରନ୍ତ ପ୍ରଦାନ କରିବା, ଅବସର ସମୟସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ଛଟେଇ ପାଚିକାଙ୍କୁ ପୁନଃ ନିଯୁକ୍ତି ଦେବା, ପିଏଫ୍, ଇଏସ୍ଆଇ ସ୍କିମ୍ ଲାଗୁ କରିବା, ବର୍ଷକୁ ଦୁଇଖଣ୍ଡ ଶାଢୀ ଦେବା, କର୍ଣ୍ଣାଟକ ଓ ଉତରପ୍ରଦେଶରେ ପାଚିକା ମାନଙ୍କୁ ମାସିକ ୩୦୦୦ ଟଙ୍କା ଭତା ଦେବା ଭଳି ଓଡିଶାରେ ଦିଆଯିବାକୁ ଦାବି କରାଯାଇଛି ।
ବିକ୍ଷୋଭ ସମାବେଶରେ ସଂଗଠନର ଉପସଭାପତି ମୃତ୍ୟୁଞ୍ଜୟ ରାଉତ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦୀକା ଇଷାନୀ ଷଢଙ୍ଗୀ, ସିଆଇଟିୟୁ ରାଜ୍ୟ ସଂପାଦକ ରମେଶ ଜେନା, ୟୁନିୟନର କାର୍ଯ୍ୟକାରୀ ସଭାପତି ରାଧାରମଣ ଷଢଙ୍ଗୀ, ସହସମ୍ପାଦୀକା କ୍ଷୀରମଣୀ ମହନ୍ତ, ପୂର୍ଣ୍ଣିମା ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ୧୨ ଦଫା ଦାବିପତ୍ର ନିର୍ଦ୍ଦେଶକଙ୍କୁ ଦିଆଯାଇ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିଆଇଟିୟୁ ସଂପାଦକ ପୂର୍ଣ୍ଣଚନ୍ଦ୍ର ପାଢୀ, ପ୍ରଭାତ ପାଣିଗ୍ରାହୀ, ବାସନ୍ତୀଲତା ବେହେରା, ଜୁଲି ଜେନା, ତରୁଲତା ମିଶ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ ।