
-
ଗଜପତି ମୋ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଗଜପତି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୧.୩୫ ଲକ୍ଷ, ପ୍ରାୟ ୯୦ ପ୍ରତିଶତ ଲୋକ ଏହି ସୁବିଧା ପାଇବେ ।
ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଜପତି ଜିଲ୍ଲା ସହ ବିଜୁ ବାବୁଙ୍କର ସଂପର୍କ ବିଷୟରେ ସମସ୍ତେ ଜାଣନ୍ତି । ତେଣୁ ଗଜପତି ଜିଲ୍ଲା ତାଙ୍କ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ । ଏଥିପାଇଁ ଗଜପତିରେ ସ୍ମାର୍ଟ ହେଲ୍ଥ କାର୍ଡ ଆରମ୍ଭ କରି ସେ ବହୁତ ଖୁସି ବୋଲି କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗଜପତି ହେଉଛି କଳା ଓ ସଂସ୍କୃତିର ଭୂମି । ଛୋଟିଆ ଜିଲ୍ଲା ହେଲେ ମଧ୍ୟ ଆଧୁନିକ ଓଡ଼ିଶା ପାଇଁ ଗଜପତି ର ଅବଦାନ ବହୁତ ବେଶୀ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନକୁ ଏ ଜାତି କେବେ ଭୁଲି ପାରିବ ନାହିଁ । ସେ ଥିଲେ ବିକାଶ ଓ ସ୍ୱାଭିମାନ ର ପ୍ରତୀକ । ସେହିପରି କବି ଗୋପାଳ କୃଷ୍ଣ ପଟ୍ଟନାୟକ ତଥା ବିଶିଷ୍ଟ ଐତିହାସିକ ଡ ସତ୍ୟନାରାୟଣ ରାଜଗୁରୁଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗଜପତି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ ଭିତିଭୂମି ସହିତ ମେଗା ପାଇପ ପାଣି ପ୍ରକଳ୍ପର ଉଦ୍ଘାଟନ କରିଥିଲେ । ଏହାସହିତ ମହେନ୍ଦଗିରି ତୀର୍ଥର ବିକାଶ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସୂଚନାଯୋଗ୍ୟ ଯେ ସ୍ମାର୍ଟ ହେଲ୍ଥ କାର୍ଡ ରାଜ୍ୟ ସରକାରଙ୍କ ଏକ ଫ୍ଲାଗ ସିପ୍ କାର୍ଯ୍ୟକ୍ରମ । ଅଗଷ୍ଟ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ଏହାର ଶୁଭାରମ୍ଭ କରିଥିଲେ । ଏହାପରେ ସୁନ୍ଦରଗଡ, ବଲାଙ୍ଗୀରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ ଆଜି ଗଜପତିରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକଗଣ ଯୋଗ ଦେଇଥିଲେ ।