
ମାଲକାନଗିରି,ଚିତ୍ରକୋଣ୍ଡା ବ୍ଲକ ରେ କେନ୍ଦ୍ର ସରକାର ଙ୍କ ପ୍ରସ୍ତାବିତ ଏକଲବ୍ୟ ବିଦ୍ୟାଳୟ ର ନିର୍ମାଣ କାର୍ଯ୍ୟର ଡେରି ନେଇ ପ୍ରଶ୍ନ ଉଠିଛି । ଦୀର୍ଘ ଦେଢ଼ ବର୍ଷ ହେବ ଜମି ଅଧିଗ୍ରହଣ ହୋଇ ପଡିରହିଛି କିନ୍ତୁ ଆଜି ଯାଏଁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏକଲବ୍ୟ ବିଦ୍ୟାଳୟ କେନ୍ଦ୍ର ସରକାର ଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଅଧୀନରେ ପରିଚାଳିତ ହୋଇ ଥାଏ। ୨୦ ହଜାରରୁ ଉର୍ଦ୍ଧ ଆଦିବାସୀ ବସ ବାସ କରୁଥିବା ବ୍ଲକ ଗୁଡିକରେ ଗରିବ ଆଦିବାସୀ ପିଲାଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ ନିମନ୍ତେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ର ପରିକଳ୍ପନା କରାଯାଇଥିଲା।ଓଡ଼ିଶାରେ ୯୨ ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଖୋଲିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ, ଯାହାର ନିର୍ମାଣ କାର୍ଯ୍ୟ ୨୦୨୨ ମସିହା ସୁଦ୍ଧା ସରିବାବୋଲି ସମୟ ଧାର୍ଯ୍ୟ କରିଥିଲେ। ଯେଁଉ ସବୁ ବ୍ଲକ ରେ ୫୦% ରୁ ଅଧିକ ଜନଜାତି ଲୋକ ବସ ବାସ କରୁଛନ୍ତି ସେହି ସବୁ ବ୍ଲକରେ ଗୋଟିଏ ଗୋଟିଏ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ ନିମନ୍ତେ କେନ୍ଦ୍ରସରକାର ଙ୍କ ଦ୍ଵାରା ସ୍ଥିର କରାଯାଇଥିଲା । ମାଲକାନଗିରି ଜିଲ୍ଲା ର ଆଦିବାସୀ ବହୁଳ ଚିତ୍ରକୋଣ୍ଡା ବ୍ଲକ ର ସଦର ମହକୁମା ଠାରେ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ ନେଇ ଜାଗା ଅଧିଗ୍ରହଣ କରାଯାଇଥିଲା। ଜାଗା ଅଧିଗ୍ରହଣ ସରିବାର ଦେଢ଼ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନିର୍ମାଣ କାମ ଆରମ୍ଭ କରାଯାଇ ନଥିବାରୁ ଅଞ୍ଚଳବାସୀ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ଚିତ୍ରକୋଣ୍ଡା ସାମ୍ବାଦିକ ସଂଘ ଓ ଆଦିବାସୀ ସଂଘର କର୍ମକର୍ତା ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନାଭ ଦୋରା ଙ୍କୁ ଏ ନେଇ ସାକ୍ଷାତ କରିବା ସହ ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ସହିତ ଫୋନ ଯୋଗେ ଯୋଗାଯୋଗ କରିଥିଲେ।ସାଂସଦ ନିର୍ମାଣକାର୍ଯ୍ୟ ର ବିଳମ୍ବ କୁ କେନ୍ଦ୍ର ଆଦିବାସୀ ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇବେ ବୋଲି କହିଥିଲେ।