ପଟ୍ଟାମୁଣ୍ଡାଇ ,କୋଭିଡ କଟକଣା ଓ ସରକାରୀ ଗାଇଡଲାଇନ ଅନୁଯାୟୀ ଶାରଦୀୟ ଦୂର୍ଗାପୂଜା ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଆକ୍ସନ ମୁଡରେ ପଟ୍ଟାମୁଣ୍ଡାଇ ପୋଲିସ । କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏବଂ ଏସପି ମଡକର ସମ୍ବିଦ ସଂପଦଙ୍କ ନିର୍ଦ୍ଦେଶରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ନୂତନ ଆଇଆଇସି ତପନ କୁମାର ରାଉତ ଆକ୍ସନ ମୁଡକୁ ଆସିବା ସହିତ ଆଇନ ଶୃଙ୍ଖଳାକୁ କଡାକଡି କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏ ଦିଗରେ ଅଭିଯାନ ଆରମ୍ଭ କରିବା ପାଇଁ ବଛା ବଛା ଅଫିସରଙ୍କୁ ନେଇ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି ।ଗତ ୧୫ ଦିନ ମଧ୍ୟରେ ୱାରେଟିଂ ଡ୍ରାଇଭ କରାଯାଇ ପ୍ରାୟ ୩୦ରୁ ଉଦ୍ଧ୍ୱର୍ ୱାରେଟିଂଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଏଥି ସହିତ ଚୋରାମଦ, ବ୍ରାଉନସୁଗାର ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟ କାରବାର ରୋକିବା ପାଇଁ କଡା ପଦକ୍ଷେପ ନିଆଯିବା ସହିତ ରାତିଅଧିଆ ଚଢାଉ ଜାରି ରହିଛି । ପଟ୍ଟାମୁଣ୍ଡାଇର ବିଭିନ୍ନ ଅଚଂଳରେ ଥିବା ନିଶାଖୋର ଓ ଅସାମାଜିକ ତତ୍ୱ ଉପରେ କଡା ନଜର ରଖାଯାଇଛି । ବିଭିନ୍ନ ଜୁଆ ଆଡା ଉପରେ ଚଢାଉ କରାଯାଉଛି ।ଶାରଦୀୟ ଦୂର୍ଗାପୂଜାକୁ କୋଭିଡ କଟକଣା ଓ ସରକାରୀ ଗାଇଡଲାଇନ ଅନୁଯାୟୀ କଡାକଡି ଭାବେ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବାକୁ ଆସନ୍ତା ୫ ତାରିଖରେ ପଟ୍ଟାମୁଣ୍ଡାଇ ଥାନା ପରିସରରେ ଏହି ଥାନା ଅନ୍ତର୍ଗତ ୩୬ ପଚାଂୟତ ଓ ପଟ୍ଟାମୁଣ୍ଡାଇ ପୌରାଚଂଳର ଲୋକପ୍ରତିନିଧି, ମେଢ କମିଟି ସଦସ୍ୟ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ ଶାନ୍ତି କମିଟି ବୈଠକ ଆହ୍ୱାନ କରାଯାଇଛି । ଏହି ବୈଠକରେ ସମସ୍ତ ମେଢ କମିଟି, କର୍ମକର୍ତା, ଲୋକପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ପୂଜା ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବା ପାଇଁ ପରାମର୍ଶ ଦେବାକୁ ଆଇଆଇସି ତପନ କୁମାର ରାଉତ ନିବେଦନ କରିଛନ୍ତି । କୌଣସି ପରିସ୍ଥିତିରେ ଆଇନଶୃଙ୍ଖଳା ବ୍ୟାହତ ହେବା ପାଇଁ ଦିଆଯିବନାହିଁ ବୋଲି ଆଇଆଇସି ଶ୍ରୀରାଉତ ସ୍ପଷ୍ଟ କରିବା ସହିତ ଆଇନଭଙ୍ଗ କରୁଥିବା ଲୋକମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।