-
ପଚଂମ ରାଉଣ୍ଡ ସୁଦ୍ଧା ୫୧୪୦ ଭୋଟ୍ ରେ ବିଜେଡ଼ି ଆଗୁଆ
ପୁରୀ, ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଆଜି ସକାଳ ୮ଟା ଠାରୁ ଆରମ୍ଭ ହୋଇଛି । ପେଣ୍ଠକଟା ନିକଟ ଇଭିଏମ୍ ଷ୍ଟ୍ରଙ୍ଗରୁମ୍ ରେ ଏହି ଭୋଟ୍ ଗଣତି ଆରମ୍ଭ ହୋଇଛି । ଭୋଟ୍ ଗଣତି ପାଇଁ ତିନୋଟି ପ୍ରକୋଷ୍ଠରେ ବ୍ୟବସ୍ଥା କରାଯାଇଛି । ଗୋଟିଏ କୋଠରୀରେ ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ପେପର୍ ଗୁଡିକ ଗଣାଯାଇଥିଲା । ଅନ୍ୟ ଦୁଇଟି କୋଠରୀରେ ୭ଟି ଲେଖାଏଁ ମୋଟ୍ ୧୪ଟି ଟେବୁଲରେ ଇଭିଏମ୍ ମେସିନ ରଖାଯାଇ ଭୋଟ୍ ଗଣତି କରାଯାଉଛି । ପ୍ରତି ଟେବୁଲ ନିକଟରେ ସିସି କ୍ୟାମେରା ଲଗାଯାଇଛି । ମୋଟ୍ ୬୨ ଜଣ କର୍ମଚାରୀ ଭୋଟ୍ ଗଣତିରେ ନିୟୋଜିତ ହୋଇଛନ୍ତି । ପ୍ରତି ଟେବୁଲରେ ପ୍ରାର୍ଥୀଙ୍କ ଏଜେଂଟ ଉପସ୍ଥିତ ରହିଛନ୍ତି । ଭୋଟ୍ ଗଣତି ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ଷ୍ଟ୍ରଙ୍ଗରୁମ୍ ବାହାରେ ବଡ ଏଲସିଡ଼ି ପରଦା ଲଗାଯାଇଛି । ସେହିପରି ଭୋଟ୍ ଗଣତି ଗୃହ ଚାରିପାଖରେ ତ୍ରିସ୍ତରିୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅପରାହ୍ନ ୧ଟା ସୁଦ୍ଧା ପଚଂମ ରାଉଣ୍ଡ ଗଣତିର ଫଳାଫଳ ପ୍ରକାଶ ପାଇଛି । ଏଥିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୧୧ ହଜାର ୮୨୮ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ୧୬ ହଜାର ୯୬୮ ଭୋଟ୍ ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୫୧୪୦ ଭୋଟ୍ ରେ ଆଗୁଆ ରହିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଚତୁର୍ଥ ରାଉଣ୍ଡ ସୁଦ୍ଧା ମାତ୍ର ୧୩୮୨ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।
ଅନ୍ୟପକ୍ଷରେ ଭୋଟ୍ ଗଣତି ଓ ଫଳାଫଳକୁ ନେଇ ପିପିଲି ଓ ଡ଼େଲାଙ୍ଗ ଅଂଚଳରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।