
ସମ୍ବଲପୁର, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନବଗଠିତ ବୁର୍ଲା ଭୀମସାର ଗଭର୍ନିଂ ବଡିରେ ଅନେକ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିଙ୍କୁ ସ୍ଥାନ ଦିଆଯାଇଛି । କିନ୍ତୁ, ଅତି ଦୁଃଖ ଓ ପରିତାପର ବିଷୟ ଯେ ନବଗଠିତ ଗଭର୍ନିଂ ବଡିରେ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ ଉପେକ୍ଷା କରାଯାଇଛି । ସମ୍ବଲପୁର ଜିଲ୍ଲାର ସମ୍ବଲପୁର ଲୋକସଭା ଓ ସମ୍ବଲପୁର ବିଧାନସଭା ଅଞ୍ଚଳରେ ରହିଛି ବୁର୍ଲା ଭୀମସାର । କିନ୍ତୁ, ଭୀମସାର ଗଭର୍ନିଂ ବଡିରେ ସମ୍ବଲପୁର ସାଂସଦ ଓ ବିଧାୟକଙ୍କୁ ସ୍ଥାନ ନ ଦେବା କେତେଦୂର ଯୁକ୍ତିସଙ୍ଗତ ବୋଲି ସମ୍ବଲପୁର ବିଜେପି ପ୍ରଶ୍ନ କରିଛି । ସମ୍ବଲପୁର ବିଜେପି ପକ୍ଷରୁ ସରକାରଙ୍କ ଏହି ନିଷ୍ପତିକୁ ଦୃଢ଼ ଶବ୍ଦରେ ନିନ୍ଦା କରାଯାଇଛି ।
ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାରାୟଣ ନାଏକ, ଜିଲ୍ଲା ସଭାପତି ଗିରିଷ ପଟେଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର ଓ ରାମଚନ୍ଦ୍ର ମେହେର, କ୍ଷେତ୍ରିୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, ସୁଶୀଲ କର ଓ ଆଶିଷ ହୋତାଙ୍କ ପକ୍ଷରୁ ଜାରି ଏକ ମିଳିତ ଜାରି ପ୍ରେସ ବିଜ୍ଞପ୍ତି ରେ ଅଭିଯୋଗ କରାଯାଇଛି ଯେ, ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କୁ ଅପମାନର ଅର୍ଥ ଲୋକଙ୍କର ଅପମାନ । ଗତ ସାଧାରଣ ନିର୍ବାଚନରେ ସମ୍ବଲପୁର ଜିଲ୍ଲାବାସୀ ବିଜେପିକୁ ବିପୁଳ ଭାବରେ ସମର୍ଥନ କରିଥିବାରୁ ରାଜ୍ୟ ସରକାର ସମସ୍ତ କ୍ଷେତ୍ରରେ ସମ୍ବଲପୁରକୁ ଜାଣିଶୁଣି ଅବହେଳା କରି ଆସୁଛନ୍ତି । ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ବିଭିନ୍ନ ଆଳ ଦେଖାଇ ବାତିଲ୍ କରି ଦେଉଛନ୍ତି କିମ୍ବା ସ୍ଥଗିତ ରଖି ଦେଉଛନ୍ତି । ନିକଟରେ ନବଗଠିତ ଭୀମସାର ଗଭର୍ନିଂ ବଡିକୁ ଦେଖିଲେ ତାହା ଆହୁରି ସ୍ପଷ୍ଟ ପ୍ରମାଣିତ ହୋଇଛି । ସମ୍ବଲପୁରର ସାଂସଦ ଶ୍ରୀଯୁକ୍ତ ନିତେଶ ଗଙ୍ଗଦେଵ, ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରି ନାୟକଙ୍କୁ ଭୀମସାର ଗଭର୍ନିଂ ବଡିରେ ସ୍ଥାନ ନ ଦେବା ନିହାତି ଭାବରେ ସମ୍ବଲପୁରବାସୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ରହିଥିବା ଚରମ ଅବହେଳା ଓ ବିଜେଡି ସରକାରର କୁତ୍ସିତ ମାନସିକତାର ପରିଚୟ ପ୍ରଦାନ କରୁଛି । ସରକାର ଏଭଳି ଅଗଣତନ୍ତ୍ରିକ ଓ ଘୃଣ୍ୟ ମାନସିକତାରୁ ଦୂରେଇ ରୁହନ୍ତୁ, ନଚେତ ଆଗାମୀ ଦିନରେ ଅଞ୍ଚଳବାସୀ ଏହାର କଡ଼ା ଓ ଉଚିତ ଜବାବ ଦେବେ ବୋଲି ଚେତାବନୀ ଦେଇଛି ବିଜେପି ।