ନୂଆଦିଲ୍ଲୀ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜଘାଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ଜୀବନ ପ୍ରତ୍ୟେକ ପିଢୀକୁ କର୍ତବ୍ୟ ପଥରେ ଚାଲିବାକୁ ପ୍ରେରଣା ଯୋଗାଇବ । ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅନ୍ୟ ଏକ ଟୁଇଟରେ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଂଜଳି ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ନମସ୍କାର । ମୂଲ୍ୟବୋଧ ଏବଂ ନୀତି ଉପରେ ଆଧାରିତ ତାଙ୍କ ଜୀବନ ଦେଶବାସୀଙ୍କ ପାଇଁ ସର୍ବଦା ପ୍ରେରଣା ଉତ୍ସ ହୋଇ ରହିବ ।
ଉଲ୍ଲେଖ୍ୟଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ରାଷ୍ଟ୍ରପତି ରାମନାଥ କୋବିନ୍ଦ , କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ରାଜଘାଟରେ ପହଂଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଜଘାଟରେ ସର୍ବ ଧର୍ମ ପ୍ରାର୍ଥନା ଆୟୋଜିତ ହୋଇଛି ।