ଭୁବନେଶ୍ୱର, ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ରଦୂତ, ସତ୍ୟ, ଶାନ୍ତି ଓ ଅହିଂସାର ଯୁଗପ୍ରବର୍ତକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ତମ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି ।
ବିଧାନସଭା ପରିସରରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ମହୋତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇଥିଲେ । ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ମହୋତ୍ସବ ଏବଂ ପ୍ରାର୍ଥନା ସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ସାଂସ୍କୃତିକ ଅନୁଷ୍ଠାନ ଶାଶ୍ୱତୀ ତରଫରୁ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’ ଏବଂ ‘ରଘୁପତି ରାଘବ ରାଜାରାମ’ ଗାନ ପରିବେଶକୁ ଭାବଗାମ୍ଭୀର୍ଯ୍ୟମୟ କରିଥିଲା ।
ଉକ୍ତ ଜୟନ୍ତୀ ମହୋତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୂଚନା ଓ ଲୋକସଂପର୍କ ବିଭାଗ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ମାନସ ରଞ୍ଜନ ଖୁଣ୍ଟିଆ, ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ରକ୍ଷକ ନାୟକ, ବାଚସ୍ପତିଙ୍କ ଲୋକସଂପର୍କ ଅଧିକାରୀ ଭୂଜଙ୍ଗ ରାଓ, ପ୍ରକାଶନ ପରିଚାଳକ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ ପରିଚାଳନା କରିଥିଲେ ।