
ମାଲକାନଗିରି, ପରିବେଶକୁ ସନ୍ତୁଳିତ ରଖିବା ସହ ଗୋ ଗ୍ରିନର ନାରା ଦେଇ ସାଇକେଲ ମାଧ୍ୟମରେ ଭ୍ରମଣ ଟ୍ରାଭେଲ ବଏ ତାପସ ମିର୍ଦ୍ଧା ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମାରେ ପହଞ୍ଚିଛନ୍ତି । ପରିବେଶକୁ ସୁରକ୍ଷା ଦେବା ସହ ଯଥା ସମ୍ଭବ ସାଇକେଲର ବ୍ୟବହାର କରିବାକୁ ନିଆରା ବାର୍ତ୍ତା ଦେଇ ବିଭିନ୍ନ ସ୍ଥାନ ପରିଭ୍ରମଣ କରୁଛନ୍ତି ସମ୍ବଲପୁରର ଯୁବକ ତାପସ ମିର୍ଦ୍ଧା ।
ତାପସଙ୍କ କହିବା ଅନୁଯାୟୀ, ସାଇକେଲ ଚଲାଇବା ଦ୍ୱାରା ପରିବେଶରେ କୌଣସି ପ୍ରକାରର କ୍ଷତି ହେବ ନାହିଁ ଏବଂ ଶରୀର ମଧ୍ୟ ସୁସ୍ଥ ରହିବ । ତେଣୁ ସେ ସାଇକେଲ ମାଧ୍ୟମରେ ବିଭିନ୍ନ ସ୍ଥାନ ବୁଲି ଆଜି ମାଲକାନଗିରି ଜିଲ୍ଲାରେ ଆସି ପହଞ୍ଚିଛନ୍ତି । ତେବେ ତାପସ କେବଳ ଓଡିଶା ନୁହେଁ ଓଡିଶା ବାହାରେ ମଧ୍ୟ ସାଇକେଲ ମାଧ୍ୟମରେ ଭ୍ରମଣ କରି ଆସୁଥିବା ବେଳେ ବିଭିନ୍ନ ସ୍ଥାନକୁ ଯାଇ ଭଳିକି ଭଳି ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି । ତେବେ ସେ ମାଲକାନଗିରି ଜିଲ୍ଲାକୁ ଗସ୍ତ କରିଥିବା ବେଳେ ପ୍ରଥମେ ଜିଲ୍ଲାର ମାଥିଲି ବ୍ଲକର ବିଭିନ୍ନ ପ୍ରାକୃତିକ ସ୍ଥାନ ପରିଭ୍ରମଣ କରିବା ପରେ ମାଲକାନଗିରି ସଦର ମହକୁମାରେ କିଛି ସମୟ ବିତାଇ ଚିତ୍ରକୋଣ୍ଡା ଅଭିମୁଖେ ଯାତ୍ରା କରିଛନ୍ତି ।