ଗଞ୍ଜାମ, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପରିବା ବଣିକ ସଂଘର ପୂର୍ବତନ ସଭାପତି ତଥା ବର୍ତମାନର ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦକ ଶମ୍ଭୁ ପାଣିଗ୍ରାହୀଙ୍କ ନାମରେ ଆସିଛି ଏକ ସଙ୍ଗିନ ଅଭିଯୋଗ । ପରିବା ବ୍ୟବସାୟୀ ସଂଘର ପାଲି ବ୍ୟବସାୟୀ ଦେବରାଜ ନାହାକ ଶମ୍ଭୁଙ୍କ ବିରୁଦ୍ଧରେ ଲକ୍ଷାଧିକ ଟଙ୍କା ଆତ୍ମସାତ ଏବଂ ଏହି ବିଷୟରେ ପଚାରିବାରୁ ହତ୍ୟା ଧମକ ଜନିତ ଏକ ଏତଲା ହିଞ୍ଜିଳି ଥାନାରେ ହୋଇଥିବା ହିଞ୍ଜିଳି ପୋଲିସ ତରଫରୁ ପ୍ରକାଶ ।
ସୂଚନା ପ୍ରକାରେ, ଏନ.ଏ.ସି ରେ ପରିବାପାଲି ବ୍ୟବସାୟ ପାଇଁ ପକ୍କା ଘର ଟିଏ ଯୋଗାଇଦେବା ଉଦ୍ଦେଶ୍ୟରେ ଶମ୍ଭୁ ପାଣିଗ୍ରାହୀ ୨୦୧୮ ମସିହାରେ ଦେବରାଜ ନାହାକଙ୍କ ଠାରୁ ୩୦ ହଜାର ଟଙ୍କା ନେଇଥିବା ଥାନାରେ ଅଭିଯୋଗ କରିଛନ୍ତି । ଏହି ବିଷୟକୁ ନେଇ ପଚାରିବାରୁ ଶ୍ରୀ ପାଣିଗ୍ରାହୀ ବ୍ୟବସାୟୀ ଦେବରାଜଙ୍କୁ ଟଙ୍କା ବିଷୟ ଆଲୋଚନା କଲେ ହତ୍ୟା କରିବାର ଧମକ ଦେଇଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ପୂର୍ବତନ ସଭାପତି ପାଣିଗ୍ରାହୀ ଠକେଇ ମନବୃତ୍ତି ରଖି ଏହି ପରିବା ପାଲି ବ୍ୟବସାୟୀ ମାନଙ୍କ ଠାରୁ ୩୦ ହଜାର ଟଙ୍କା ଲେଖାଏଁ ପ୍ରାୟ ୩୫ ଜଣଙ୍କ ଠାରୁ ୧୦ଲକ୍ଷ ୫୦ହଜାର ଟଙ୍କା ନେଇଥିବା ଏତଲା ଅଭିଯୋଗ ପତ୍ରରୁ ସୂଚନା ମିଳିଛି । ଏଭଳି ସଙ୍ଗିନ ଅଭିଯୋଗକୁ ନେଇ ପରିବା ବ୍ୟବସାୟୀ ଦେବରାଜ ନାହାକ ୩୫ ଜଣଙ୍କ ସ୍ବାକ୍ଷର ସମ୍ବଳିତ ଏତଲା ଅଭିଯୋଗ ପତ୍ର ଦେଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ପ୍ରକାଶ କରିବା ସହ ଉକ୍ତ ବିଷୟକୁ କେନ୍ଦ୍ର କରି ହିଞ୍ଜିଳି ଥାନା କେସ ନଂ ୫୨୧/୨୧ ପ୍ରକାରେ ଏତଲା ଗ୍ରହଣ ସହ ଶମ୍ଭୁ ପାଣିଗ୍ରାହୀଙ୍କ ବିରୁଦ୍ଧରେ ପ୍ରାଥମିକ ତଦନ୍ତ ଚାଲୁ ରହିଥିବା ସୂଚନା ଦେଇଛନ୍ତି ।