ସମ୍ବଲପୁର, ଆଜି ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ ମୋଟ୍ ୩ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି । ଡ଼୍ୟାମ୍ ର ବାମ ପାଶ୍ୱର୍ ଡାଇକ୍ ର ଦୁଇଟି, ଡ଼ାହାଣ ପାଶ୍ୱର୍ ଡାଇକ୍ ର ଗୋଟିଏ ସ୍ଲୁଇସ୍ ଗେଟ୍ ଓ ଅନ୍ୟାନ୍ୟ ପାୱାର ଚାନେଲ ଦେଇ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି । ଜଳ ଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।
ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୭୮ ହଜାର ୨୦୮ ଘନଫୁଟ୍ ଜଳ ପ୍ରବେଶ କରୁଛି । ସେହି ସମୟରେ ମୋଟ୍ ୩ଟି ସ୍ଲୁଇସ୍ ଗେଟ୍ ଓ ଅନ୍ୟାନ୍ୟ ପାୱାର ଚାନେଲ ଦେଇ ପ୍ରତି ସେକେଣ୍ଡରେ ୭୮ ହଜାର ୨୦୮ ଘନଫୁଟ୍ ରୁ ଉର୍ଦ୍ଧ୍ୱ ଜଳ ମହାନଦୀକୁ ଛଡାଯାଉଛି । ବନ୍ଧର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଜଳ ଭଣ୍ଡାରର ଜଳ ପତନ ଦିନ ୧୨ଟା ସୁଦ୍ଧା ୬୩୦.୦୦ ଫୁଟ୍ ରହିଛି ।ଏଠାରେ ଉଲ୍ଲେଖଯୋଗ୍ୟ, ବାତ୍ୟା ଗୁଲାବ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା ଆଶଙ୍କା କରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍ ଗେଟ୍ ବନ୍ଦ ସହ ଜଳ ନିଷ୍କାସନ ବନ୍ଦ ରହିଥିଲା । ତେବେ ଜଳଭଣ୍ଡାରର ଜଳ ପତନକୁ ଦୃଷ୍ଟିରେ ରଖି ଗତ ୨୮ ତାରିଖରେ ଡ଼୍ୟାମ୍ ର ବାମ ପାଶ୍ୱର୍ ଡାଇକ୍ ର ଗୋଟିଏ ସ୍ଲୁଇସ୍ ଗେଟ୍ ଖୋଲାଯାଇ ପୁନଃ ମହାନଦୀକୁ ଜଳ ନିଷ୍କାସନ ଆରମ୍ଭ ହୋଇଥିଲା । ପରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପର୍ଯ୍ୟାୟ କ୍ରମେ ଆଉ ଦୁଇ ସ୍ଲୁଇସ୍ ଗେଟ୍ ଖୋଲାଯାଇଛି ।