
ଭୁବନେଶ୍ୱର, କୋଭିଡଜନିତ ମୃତ୍ୟୁରେ ପରିବାରକୁ ସହାୟତା ନେଇ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାକୁ ରାଜ୍ୟ ସରକାର ପାଳନ କରିବେ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଏସଓପି ଜାରି କରିବେ । ଡିଏମଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ସଂକ୍ରମିତ ହେବାର ମାସେ ମଧ୍ୟରେ ମୃତ୍ୟୁ ବରଣ କରିଥିବା କୋଭିଡ ରୋଗୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯେହେତୁ ୩୦ ଦିନ ଭିତରେ ଆତ୍ମହତ୍ୟା କରିଥିବା କିମ୍ବା ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଏଥିରେ ସାମିଲ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି, ସେ ଦୃଷ୍ଟିରୁ ରାଜ୍ୟର କୋଭିଡ ମୃତ୍ୟୁ ସଂଖ୍ୟାରେ ଏ ସବୁକୁ ମିଶାଯିବ । ଏହାଫଳରେ ରାଜ୍ୟର ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ବଢ଼ିବ । ନିୟମ ଅନୁସାରେ କୋଭିଡ ମୃତ୍ୟୁର ପୁନଃ ଅଡିଟ କରିବା ପାଇଁ ଜିଲ୍ଲାସ୍ତରରେ କମିଟି ଗଠନ ପାଇଁ ନିର୍ଦ୍ଦେଶ ରହିଛି । ତାହାକୁ ଆମେ ଅନୁପାଳନ କରିବୁ । ଏଣୁ ଏହି ପ୍ରକ୍ରିୟା ଭିତରେ ଯେଉଁମାନେ ରହିଛନ୍ତି, ସେମାନେ ଆବେଦନ କରି ପାରିବେ ।