ନୂଆପଡ଼ା, ସରକାର ଲୋକଙ୍କ ବହୁବିଧ ସୁବିଧା ପାଇଁ ଗ୍ରାହକ ଜନସେବା କେନ୍ଦ୍ର ମାନ ସ୍ଥାପନ କରି ଲୋକଙ୍କୁ ସେବା ଯୋଗାଇ ଦେବା ଯୋଜନା କରିଛନ୍ତି। ହେଲେ ଏହି ସବୁ ଗ୍ରାହକ ସେବା କେନ୍ଦ୍ରର କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଗ୍ରାହକ ସେବା କେନ୍ଦ୍ର ବା ଜନ ସେବା କେନ୍ଦ୍ରରେ ସେବା ପରିବର୍ତ୍ତେ ଶୋଷଣ ଚାଲୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ର ସରକାରଙ୍କ ଇ- ଶ୍ରମିକ ରେଜିଷ୍ଟ୍ରେସନରେ ଗ୍ରାହକ ସେବାକେନ୍ଦ୍ର କର୍ତ୍ତୃପକ୍ଷ ମାନେ ମାଗଣାରେ ଲୋକଙ୍କ ରେଜିଷ୍ଟ୍ରେସନ କରିବା ପରିବର୍ତ୍ତେ ଶହେରୁ ଦେଢ଼ଶହ ଟଙ୍କା ନେଇ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ଏନେଇ ସେବାକେନ୍ଦ୍ର ପାଲଟିଛି ଶୋଷଣ କେନ୍ଦ୍ର ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ପ୍ରକାଶ ଯୋଗ୍ୟ ଯେ କେନ୍ଦ୍ର ସରକାର ଅଣ ସଂଗଠିତ ଶ୍ରମିକ ମାନଙ୍କ ପାଇଁ ଇ-ଶ୍ରମ ନାମରେ କାର୍ଡ ପ୍ରଚଳନ କରିଛନ୍ତି। ଯେଉଥିରେ ବିଭିନ୍ନ ବର୍ଗର ଲୋକମାନଙ୍କ ତଥ୍ୟ ରଖାଯାଉଛି। ଏହି କ୍ରମରେ ବିଭିନ୍ନ ଶ୍ରେଣୀରେ ଲୋକଙ୍କୁ ତାଲିକା ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଇଶ୍ରମ କାର୍ଡ କରିଥିବା ବେଳେ ଏଥିପାଇଁ ସହଜ ଜନସେବା କେନ୍ଦ୍ରରେ ବିନା ଦେୟରେ ପଞ୍ଜିକରଣ ପାଇଁ ନିର୍ଦ୍ଧେଶ ଦେଇଛନ୍ତି। ଏଥିପାଇଁ ଜନସେବା କେନ୍ଦ୍ର ଗୁଡିକୁ ପ୍ରତି ଶ୍ରମ କାର୍ଡ ପିଛା ୧୬ ଟଙ୍କା ପାଇବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ନୂଆପଡା ଜିଲ୍ଲା ସିନାପାଲି ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସିନାପାଲି ଅନ୍ତର୍ଗତ ହାତିବନ୍ଧା, ଗଣ୍ଡାବାହାଲି, ସିନାପାଲି, ନୀଳଜୀ, ଟିମନପୁର, କେନ୍ଦୁମୁଣ୍ଡା ତଥା ବିଭିନ୍ନ ଗ୍ରାମରେ ପ୍ରତିଷ୍ଠିତ କରିଥିବା କମ୍ପୁଟର ସେଣ୍ଟର ଓ ଜନସେବା କେନ୍ଦ୍ର ଗୁଡିକରେ ଏହି ଶ୍ରମ କାର୍ଡ କରିବା ପାଇଁ ଭୋର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଏହାର ସୁଯୋଗ ନେଇ କିଛି ଅସାଧୁ ଜନସେବା କେନ୍ଦ୍ରର କର୍ମଚାରୀ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି। ସେବାକେନ୍ଦ୍ର କର୍ମଚାରୀ ମାନେ ମାଗଣାରେ ରେଜିଷ୍ଟ୍ରେସନ କରିବା କଥା। କିନ୍ତୁ ସେଥିରେ ବ୍ୟତିକ୍ରମ କରି ଗ୍ରାହକଙ୍କୁ ଶୋଷଣ କରାଯାଉଥିବା ନେଇ ଜନସନ୍ତୋଷ ଦେଖାଦେଇଛି। ଏତଦ୍ବ୍ୟତୀତ ସେବାକେନ୍ଦ୍ର ଗୁଡିକରେ ଟଙ୍କା ଲେଣଦେଣ କାରବାର ସହିତ ବିଭିନ୍ନ ଅନଲାଇନ କାର୍ଯ୍ୟ ମଧ୍ୟ କରାଯାଉଛି। ଟଙ୍କା ଉଠାଣ କିମ୍ବା ଜମା କରିବାରେ ମଧ୍ୟ ଗ୍ରାହକଙ୍କ ଠାରୁ ଟଙ୍କା ଅସୁଲି କରି ଶୋଷଣ କରୁଥିବା ଅଭିଯୋଗ ହେଉଛି। ସେହିପରି ଅନଲାଇନ କାର୍ଯ୍ୟରେ ମଧ୍ୟ ନିର୍ଦ୍ଧାରିତ ଫିସ ଠାରୁ ଅଧିକ ନେଉଥିବା ଲୋକେ ପ୍ରକାଶ କରିଛନ୍ତି। ଏସବୁକୁ ପ୍ରତିବାଦ କଲେ କାର୍ଯ୍ୟ ହୋଇ ନପାରିବା ଭୟରେ ଗ୍ରାହକ ସାମ୍ନାରେ ମୁହଁ ଖୋଲୁ ନଥିବା କହନ୍ତି। ଏହାର ସୁଯୋଗ ନେଇ ସେବାକେନ୍ଦ୍ର କର୍ମଚାରୀ ମାନେ ଗ୍ରାହକଙ୍କୁ ମନଇଚ୍ଛା ଶୋଷଣ କରିବାରେ ପଛାଉ ନାହାନ୍ତି। ବିଭାଗୀୟ ଅଧିକାରୀ ଥାଇ ସୁଦ୍ଧା ସେବାକେନ୍ଦ୍ର ସବୁ ଅଣାୟତ ହୋଇପଡିଥିବା ଅନୁମାନ ହେଉଛି। ଏନେଇ ବିଭାଗୀୟ ଜିଲା ପରିଚାଳକ ଦେବାଶିଷ ପାଢିଙ୍କୁ ଯୋଗାଯୋଗ କରିବାରୁ ଏସବୁ ସମ୍ପୂର୍ଣ୍ଣ ଅଟେ।ଯେଉଁମାନେ ଟଙ୍କା ଆଦାୟ କରି ଗ୍ରାହକ ତଥା ଲୋକଙ୍କୁ ଶୋଷଣ କରୁଛନ୍ତି ,ତାହାର ତଦନ୍ତ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ,ଜିଲା ପ୍ରଶାସନ ତଥା ବ୍ଲକ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସେବାକେନ୍ଦ୍ର ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
Related Stories
November 24, 2024
November 24, 2024