ନୂଆପଡ଼ା, ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତରବୋଡ଼ କେନ୍ଦୁପତ୍ର ଗୋଦାମ ପ୍ରାଙ୍ଗଣରେ କୋମନା ବ୍ଲକ ଶ୍ରମିକ ମହାସଙ୍ଘର ସମସ୍ତ ପ୍ରମୁଖ ନେତୃମଣ୍ଡଳୀ ଓ କର୍ମକର୍ତ୍ତାଙ୍କୁ ନେଇ ଜିଲ୍ଲା ଶ୍ରମିକ ମହାସଙ୍ଘର ବରିଷ୍ଠ ନେତା ଅନିରୁଦ୍ଧ ନାଗଙ୍କ ସଭାପତିତ୍ୱରେ ଓ ଭାରତୀୟ ମଜଦୂର ସଙ୍ଘର ଜିଲ୍ଲା ସଭାପତି ଶୁକ୍ଳାମ୍ବର ନିଆଲଙ୍କ ପରିଚାଳନାରେ ଏକ ଜରୁରୀ ସଭା ଅନୁଷ୍ଠିତ ହୋଇଯାଇଛି। ମହାସଙ୍ଘର ଜିଲ୍ଲା ଆବାହକ ଯଦୁମଣି ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ସାମିଲ ହୋଇ ଆଗାମୀ ଦିନର ଆନ୍ଦୋଳନ ଡାକରାକୁ ସଫଳ କରିବା ପାଇଁ ପ୍ରତ୍ୟେକ ପଂଚାୟତରେ ପ୍ରତ୍ୟେକ ଗାଁରେ ମିଟିଂ କରି ଶ୍ରମିକ ମାନଙ୍କୁ ଏକଜୁଟ କରିବାପାଇଁ ଆହ୍ୱାନ ଦେଇଥିଲେ।ନୂଆପଡା ଜିଲ୍ଲାକୁ ଦାଦନ ମୁକ୍ତ କରିବା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ନୂଆପଡା ସଦର ମହକୁମାକୁ ତୁରନ୍ତ ସ୍ଥାନାନ୍ତର କରିବା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଖାଲିଥିବା ସମସ୍ତ ପଦ ପଦବୀକୁ ତୁରନ୍ତ ପୁରଣ କରିବା, ମନରେଗାରେ ଜିଲ୍ଲା ସାରା ବକେୟା ଥିବା ପାଉଣା ତୁରନ୍ତ ପ୍ରଦାନ, ମନରେଗାରେ ବ୍ୟାପକ ଦୁର୍ନୀତିର ତଦନ୍ତ, ନିର୍ମାଣ ଶ୍ରମିକଙ୍କ କୋଭିଡ ସହାୟତା ତୁରନ୍ତ ପ୍ରଦାନ ଇତ୍ୟାଦି ଦାବିରେ ଆସନ୍ତା ଅକ୍ଟୋବର 4 ତାରିଖରେ ହେବାକୁ ଥିବା ଆନ୍ଦୋଳନ ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମକୁ ପୂର୍ଣ ମାତ୍ରାରେ ସଫଳ କରିବା ପାଇଁ ବୈଠକରେ ପ୍ରସ୍ତୁତି କରାଯାଇଥିଲା। ପ୍ରମୁଖ ଟ୍ରେଡୟୁନିୟନର ନେତୃମଣ୍ଡଳୀ ଓ ତିନି ଶହରୁ ଉର୍ଧ୍ଵ କର୍ମକର୍ତ୍ତା ଏହି ବୈଠକରେ ସାମିଲ ହୋଇଥିଲେ।ଏହା ପରେ ପ୍ରତ୍ୟେକ ପଂଚାୟତରେ ଶ୍ରମିକ ମାନଙ୍କ ବୈଠକ କରି ଆନ୍ଦୋଳନ ପାଇଁ ପ୍ରସ୍ତୁତି କରାଯିବାକୁ ନିଷ୍ପତ୍ତି ହୋଇଥିଲା । ବୈଠକ ଶେଷ ହେଲା ପରେ ଶ୍ରମିକ ନେତା ଜ୍ଞାନେଶ୍ୱର ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ ହୋଇଥିଲା। ଏହି ସଭାରେ ନୂଆପଡ଼ାରୁ ବରିଷ୍ଠ ଶ୍ରମିକ ନେତା ସୁଖଦେଵ ସାହୁ, ଜ୍ଞାନରଞ୍ଜନ ସାହୁ, ଅଭିନ୍ନ ପୁରୋହିତ, ନିରଞ୍ଜନ ଶବର, ଭାରତ ମାଝୀ, ପ୍ରଦୀପ ଦଣ୍ଡସେନା, ଯଯାତି ମେହେର, କୁଞ୍ଜବିହାରି କଟା ପ୍ରମୁଖ ବୈଠକରେ ସାମିଲ ହୋଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଗଜପତି ବନଛୋର, ବଳଧର କେତକୀ, ସୁରେଶ ବେହେରା, ଭାସ୍କର ପ୍ରଧାନ, ଜୟନନ୍ଦ ବେମାଲ, ଉଦୟ ମାଝୀ ପ୍ରଭୁତି କର୍ମକର୍ତ୍ତା ବୈଠକ ଆୟୋଜନରେ ପୂର୍ଣ ସହଯୋଗ କରିଥିଲେ ।