
ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନବିଭାଗ ରେଞ୍ଜ ଅନ୍ତର୍ଗତ ସାନମହେଶ୍ୱର ନିକଟରେ ୩୫୩ ଜାତୀୟ ରାଜପଥ ଉପରେ ଏକ ଜଂଗଲୀ ବାରାହାକୁ ବୋଲେରୋ ଗାଡିରେ ଧକ୍କା ଦେଇ ମାରିବା ପରେ ମୃତ ବାରାହାକୁ ଗାଡିରେ ନେଇ ଚମ୍ପଟ ମାରିବା ବେଳେ ବନବିଭାଗ ଦ୍ୱାରା ଗାଡ଼ି ଜବତ ସହ ଡ଼୍ରାଇଭର ଅଟକ। ହେଲେ ଖଡ଼ିଆଳ ବନବିଭାଗ ରେଞ୍ଜର ସଂସ୍କୃତ ଗଡ଼ନାୟକ ଏହି ଘଟଣାକୁ ଚପାଇ ରଫାଦଫା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଖଡିଆଳ ଅଞ୍ଚଳରେ ବେଶ ଚର୍ଚ୍ଚା ଲାଗିରହିଛି । ଗତ ରାତ୍ରି ପ୍ରାୟ ୯ଘଣ୍ଟା ସମୟରେ ସାନ ମହେଶ୍ୱର ଗାଁର ନିକଟସ୍ଥ ଜଙ୍ଗଲରୁ ଏକ ବାରାହା ରାସ୍ତା ପାରିହେଉଥିବା ବେଳେ ନୂଆପଡ଼ା ପଟୁ ଖଡ଼ିଆଳ ଅଭିମୁଖେ ଆସୁଥିବା ଏକ ବୁଳେରୋ ଗାଡ଼ି ରେ ପ୍ରଥମେ ବାରାହାକୁ ଧକ୍କା ଦେଇ ମାରିଥିଲେ ।ଏହାପରେ ଡ୍ରାଇଭରଙ୍କ ସହ ଗାଡ଼ିରେ ବସିଥିବା ଅନ୍ୟମାନେ ମୃତ ବାରାହାକୁ ସେହିଗାଡ଼ିରେ ଭର୍ତ୍ତିକରି ଚମ୍ପଟ ମାରିବା ବେଳେ ସ୍ଥାନୀୟ ଲୋକମାନେ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗର ଏକ ସ୍ୱତନ୍ତ୍ର ଟିମ ବୋଲେରୋ ଗାଡ଼ି ଉପରେ ଚଢ଼ାଉ କରିଥିଲା । ବନବିଭାଗ ଖଡିଆଳ ମିଶନ ନିକଟରୁ ବୋଲେରୋ ଗାଡ଼ିକୁ କାବୁ କରିବା ସହ ମୃତ ବାରାହାକୁ ଜବତ କରାଯାଇ ଥିବା ବେଳେ ଡ୍ରାଇଭରଙ୍କ ସମେତ ଗାଡ଼ିରେ ବସିଥିବା କିଛି ବ୍ୟକ୍ତିଙ୍କୁ ଖଡ଼ିଆଳ ବନବିଭାଗ ରେଞ୍ଜ ଅଫିସକୁ ଆଣି ଅଟକ ରଖି ପଚରାଉଚରା ଜାରି ରଖିଥିଲେ। ହେଲେ ଖଡ଼ିଆଳ ବନବିଭାଗ ରେଞ୍ଜର ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିବା ସହ ମୋଟା ଅଙ୍କର ଟଙ୍କା ନେଇ କେସକୁ ରଫାଦଫା କରି ବୋଲେରୋ ଗାଡ଼ିକୁ ଛାଡ଼ିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ହେଲେ ଏନେଇ କିଛି ଗଣମାଧ୍ୟମ ପ୍ରତିନିଧି ଜାଣିବା ପରେ ଖଡ଼ିଆଳ ବନବିଭାଗ ରେଞ୍ଜର ସଂସ୍କୃତ ଗଡ଼ନାୟକଙ୍କୁ ଫୋନ ମାଧ୍ଯମରେ ଯୋଗାଯୋଗ କରିଥିଲେ ହେଁ ସେ କାହାରି ଫୋନକୁ ରିସିଭ କରିନଥିଲେ । ପରେ ଗଣମାଧ୍ୟମ ପ୍ରତିନିଧିମାନେ ଏନେଇ ଖଡ଼ିଆଳ ବନବିଭାଗ ଡିଏଫଓ ବିବେକ କୁମାରଙ୍କୁ ଫୋନ ମାଧ୍ଯମରେ ଅବଗତ କରିଥିଲେ । ଏହି ଘଟଣା ଉପରେ ଡିଏଫଓଙ୍କ ହସ୍ତକ୍ଷେପ ହେବାପରେ ଆଜି ଏସିଏଫ ଶିବ ପ୍ରସାଦ ରଥଙ୍କ ଉପସ୍ଥିତିରେ ଖଡ଼ିଆଳ ପ୍ରାଣିଧାନ ବିଭାଗ ପକ୍ଷରୁ ମୃତ ବାରାହାର ପୋଷ୍ଟ ମଟମ କରାଯିବା ପରେ ସ୍ଥାନୀୟ ନର୍ସରୀ ପରିସରରେ ମାଟି ଖୋଲି ପୋତିଦିଆଯାଇଛି। ଏଥିସହ ବୋଲେରୋ ଗାଡ଼ିକୁ ଜବତ କରିବା ସହ କେବଳ ଡ୍ରାଇଭରକୁ ଅଟକ ରଖି ଗାଡିରେ ବସିଥିବା ଅନ୍ୟମାନଙ୍କୁ ରେଞ୍ଜର ଗଡନାୟକ ମୋଟା ଅଙ୍କର ଟଙ୍କା ନେଇ ଛାଡି ଦେଇଥିବା ଅଭିଯୋଗ ହୋଇଛି । ରେଞ୍ଜରଙ୍କ ଏଭଳି କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଏନେଇ ଏସିଏଫ ଶିବ ପ୍ରସାଦ ରଥଙ୍କୁ ପଚରାଯିବାରେ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଡ୍ରାଇଭରଙ୍କ ସଂପୃକ୍ତି ଥିବାରୁ ତାଙ୍କୁ ଅଟକ ରଖା ଯାଇଥିବା ପ୍ରକାଶ କରି ରେଞ୍ଜରଙ୍କ ନାମରେ ଆସୁଥିବା ଅଭିଯୋଗ ତଥ୍ୟଭିତ୍ତିକ ନୁହେଁ ତଦନ୍ତଜାରିରହିଛି ବୋଲି ପ୍ରକାଶ କରିଛନ୍ତି ।