-
ବାତ୍ୟା ମୁକାବିଲା ନେଇ ସରକାରଙ୍କ ପ୍ରସ୍ତୁତି ଆରମ୍ଭ
-
ନିୟୋଜିତ ହେବେ ୪୨ ଓଡ୍ରାଫ, ୨୪ ଏନଡିଆରଏଫ ଟିମ
ଭୁବନେଶ୍ୱର. ସମ୍ଭାବ୍ୟ ବାତ୍ୟା ଗୁଲାବ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରା ଯାଇଥିବା ରାଜ୍ୟ ସରକାର ଏହାର ମୁକାବିଲା ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।
ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏନେଇ କହିଛନ୍ତି ଯେ ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର ସାମାନ୍ୟ ପ୍ରଭାବ ପଡିପାରେ । ଏନେଇ ସରକାର ସଜାଗ ଏବଂ ସଚେତନ ରହିଛନ୍ତି । ବାତ୍ୟା ପ୍ରଭାବରେ ପାହାଡ଼ିଆ ଅଂଚଳରେ ଭୁସ୍ଖଳନ ହୋଇପାରେ, ତଳିଆ ଅଂଚଳରେ ପାଣି ଜମିପାରେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ।
ଏହି ବାତ୍ୟାରେ ରାଜ୍ୟର ସାତଟି ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ ନୟାଗଡ଼ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି ସମସ୍ତ ଜିଲ୍ଲାରେ ଆଗୁଆ ସତର୍କତା କରାଯାଇଛି ।
ବାତ୍ୟାକୁ ଆଖି ଆଗରେ ରଖି ଏସଆରସି ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକ କରିଛନ୍ତି ଏସଆରସି । ଜିଲ୍ଲାପାଳମାନଙ୍କୁ ମଧ୍ୟ ସଜାଗ ରହିବା ପାଇଁ କୁହାଯାଇଛି । ଏହି ସମସ୍ତ ଜିଲ୍ଲାକୁ ୪୨ ଓଡ୍ରାଫ, ୨୪ ଏନଡିଆରଏଫ ଟିମ ପଠାଯିବା ପାଇଁ ବ୍ୟବସ୍ଥା ହୋଇଥିବା ସୂଚନା ପ୍ରଦାନ କରିଛନ୍ତି ଏସଆରସି ।
ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ମଧ୍ୟ କହିଛନ୍ତି ପ୍ରଦୀପ ଜେନା ।
ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବର୍ତମାନ ବାତ୍ୟା ସ୍ଥଳଭାଗ ମୁହାଁ ହୋଇଛି । ଉତର-ପୂର୍ବ ଏବଂ ପୂର୍ବ- କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି । ବର୍ତମାନ ଏହା ପଶ୍ଚିମ- ଉତର- ପଶ୍ଚିମ ଦିଗରେ ଗତି କରୁଛି । ଗତ ୬ ଘଂଟା ମଧ୍ୟରେ ଘଂଟାପ୍ରତି ୧୨ କିଲୋମିଟର ବେଗରେ ଗତିକରୁଛି ବାତ୍ୟା ଗୁଲାବ । ଗୋପାଳପୁର ଠାରୁ ୫୧୦ କିଲୋମିଟର ଦକ୍ଷିଣ- ପୂର୍ବରେ ରହିଛି । କଳିଙ୍ଗପାଟନମ୍ ଠାରୁ ୫୯୦ କିଲୋମିଟର ପୂର୍ବରେ ରହିଛି । ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ୭ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସେପଟେ ବାତ୍ୟା ପ୍ରଭାବରେ କାଲିଠୁ ବଢିବ ବର୍ଷାର ପରିମାଣ ।
ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲାକୁ ଏନଡିଆରଏଫ ଏବଂ ଓଡ୍ରାଫ ଟିମ ବଣ୍ଟନ କରାଯାଇଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲାକୁ ୧୫ଟି ଓଡ୍ରାଫ ଟିମ, ୬ଟି ଏନଡିଆରଏଫ ଟିମ ପ୍ରଦାନ କରାଯାଇଛି । ସେହିପରି ଗଜପତିକୁ ୬ଟି ଓଡ୍ରାଫ, ୪ଟି ଏନଡିଆରଏଫ ଟିମ, ରାୟଗଡ଼ାକୁ ୬ଟି ଓଡ୍ରାଫ ୪ଟି ଏନଡିଆରଏଫ ଟିମ୍, କୋରାପୁଟକୁ ୩ଟି ଓଡ୍ରାଫ ୪ଟି ଏନଡିଆରଏଫ, ମାଲକାନଗିରିକୁ ୬ଟି ଓଡ୍ରାଫ, ୨ଟି ଏନଡିଆରଏଫ, ନବରଙ୍ଗପୁରକୁ ୩ଟି ଓଡ୍ରାଫ, କନ୍ଧମାଳକୁ ୩ଟି ଓଡ୍ରାଫ ଟିମ ଏବଂ ନୟାଗଡ଼କୁ ୪ଟି ଏନଡିଆରଏଫ ଟିମ ପଠାଯିବ ବୋଲି ସୂଚନା ରହିଛି ।