ନୂଆଦିଲ୍ଲୀ, ଦେଶର ବିକାଶରେ ସମବାୟ କ୍ଷେତ୍ର ଗୁରୁତ୍ୱପୂର୍ଣ ଯୋଗଦାନ ଦେଇ ପାରେ ବୋଲି ମତ ବ୍ୟକ୍ତ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ । ଶନିବାର ଦିନ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଦେଶର ପ୍ରଥମ ସମବାୟ ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀ ଶାହ ଏହା କହିଛନ୍ତି ।
ଶ୍ରୀ ଶାହ କହିଛନ୍ତି ଯେ ଦେଶର ବିକାଶରେ ସମବାୟର ଯୋଗଦାନ ଆଜି ମଧ୍ୟ ରହିଛି । ଆମକୁ ନୂଆ ଭାବରେ ଚିନ୍ତା କରିବାକୁ ପଡିବ । ନୂଆ ଭାବେ ରେଖାଙ୍କିତ କରିବାକୁ ପଡିବ ଓ କାମର ବ୍ୟାପକତାକୁ ବଢାଇବାକୁ ପଡିବ । ଏହା ସହିତ ସମବାୟ କ୍ଷେତ୍ରରେ ପାରଦର୍ଶିତା ଆଣିବାକୁ ପଡିବ ।
ଶ୍ରୀ ଶାହ ତାଙ୍କ ସମ୍ବୋଧନର ପ୍ରାରମ୍ଭରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଙ୍କ ସ୍ମରଣ କରିଥିଲେ । ସେ କହିଥିଲେ ଯେ – ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀରେ ତାଙ୍କୁ ମନେ ପକାଇବାକୁ ଚାହୁଁଛି, କାରଣ ମୋ ଭଳି ଅନେକ କାର୍ଯ୍ୟକର୍ତାଙ୍କ ସମବାୟ କ୍ଷେତ୍ରକୁ ଆସିବାର ପ୍ରେରଣାର ମୂଳ ସ୍ଥାନ ଦୀନଦୟାଲଙ୍କ ଅନ୍ତ୍ୟୋଦୟର ନୀତି ।
ଶାହ ଆହୁରି କହିଥିଲେ ଯେ ଗରୀବ କଲ୍ୟାଣ ଓ ଅନ୍ତ୍ୟୋଦୟର ଏହାର କଳ୍ପନା ସମବାୟ ବ୍ୟତୀତ ହୋଇ ହିଁ ପାରିବ ନାହିଁ । ଦେଶରେ ଯେତେବେଳେ ବିକାଶର କଥା ଆରମ୍ଭ ହେଲା ସେତେବେଳେ ସବୁଠାରୁ ପ୍ରଥମେ ଅନ୍ତ୍ୟୋଦୟର କଥା ପଣ୍ଡିତ ଦୀନଦୟାଲ ହିଁ କହିଥିଲେ ।
ସେ କହିଛନ୍ତି ଯେ ସ୍ୱାଧୀନତାର ୭୫ ବର୍ଷ ପରେ ଏବେ ଯେତେବେଳେ ସମବାୟ ଆନ୍ଦୋଳନର ସବୁଠାରୁ ଅଧିକ ଆବଶ୍ୟକତା ଥିଲା ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟର ଗଠନ କରିଛନ୍ତି ଓ ଏହାର ଦାୟିତ୍ୱ ମୋତେ ଦେଇଛନ୍ତିା ଏଥି ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି ବୋଲି ସେ କହିଛନ୍ତି ।