ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ଅବସରରେ ୨୩ ସେପ୍େଟମ୍ବର ୨୦୨୧ରେ ୱାଶିଂଟନ ଡିସି ଠାରେ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ମହାମହିମ କମଳା ହ୍ୟାରିସଙ୍କୁ ସାକ୍ଷାତ କରିଛନ୍ତି ।
ପ୍ରଥମ ଥର ପାଇଁ ବ୍ୟକ୍ତିଗତ ସାକ୍ଷତ ହୋଇଥିବାରୁ ସେମାନେ ଖୁସି ବ୍ୟକ୍ତ କରିଥିଲେ । ଏଥିପୂର୍ବରୁ ଜୁନ ୨୦୨୧ରେ ଉଭୟଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ ବାର୍ତ୍ତାଳାପକୁ ସେମାନେ ସହୃଦୟତାର ସହିତ ସ୍ମରଣ କରିଥିଲେ । ଆଫଗାନିସ୍ତାନ ପ୍ରସଙ୍ଗ ସମେତ ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ । ଏଥିସହିତ ଏକ ମୁକ୍ତ, ଅବାଧ ଏବଂ ସମାବେଶୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।
ଦୁଇ ନେତା ନିଜ ନିଜ ଦେଶରେ କୋଭିଡ-୧୯ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଟିକାକରଣ ପ୍ରୟାସକୁ ଗତିଶୀଳ କରିବା ଏବଂ ଜରୁରି ଔଷଧ, ଚିକିତ୍ସାବିଧାନ ଏବଂ ସ୍ୱାସ୍ଥ୍ୟ ସେବା ଉପକରଣ ଯୋଗାଣ ସୁନିଶ୍ଚିତ କରିବା ଜରିଆରେ ମହାମାରୀକୁ ପ୍ରତିହତ କରିବା ନେଇ ସେମାନେ ଆଲୋଚନା କରିଥିଲେ ।
ଜଳବାୟୁ ପରିବର୍ତ୍ତନ ଉପରେ ସହଭାଗୀ କାର୍ଯ୍ୟାନୁଷ୍ଠାନର ଗୁରୁତ୍ୱକୁ ଉଭୟ ପକ୍ଷ ସ୍ୱୀକାର କରିଥିଲେ । ଅକ୍ଷୟ ଶକ୍ତି ଉପଯୋଗ ବୃଦ୍ଧି ଲାଗି ଭାରତର ପ୍ରୟାସ ଏବଂ ନିକଟରେ ଆରମ୍ଭ କରାଯାଇଥିବା ହାଇଡ୍ରୋଜେନ ମିଶନ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଦୀର୍ଘସ୍ଥାୟୀ ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହନ ଲାଗି ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଉପରେ ସେ ଜୋର ଦେଇଥିଲେ ।
ମହାକାଶ ସହଯୋଗ, ସୂଚନା ପ୍ରଯୁକ୍ତି, ବିଶେଷ କରି ଉଦୀୟମାନ ଏବଂ ଜଟିଳ ପ୍ରଯୁକ୍ତି ସମେତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗ ନିମନ୍ତେ ଭବିଷ୍ୟତର ସହଭାଗିତା କ୍ଷେତ୍ରରେ ମଧ୍ୟ ସେମାନେ ଆଲୋଚନା କରିଥିଲେ । ଦୁଇ ଦେଶର ନାଗରିକମାନଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରହିଥିବା ଉଭୟ ନେତା ସ୍ୱୀକାର କରିଥିଲେ । ଆପୋସ ଲାଭଜନକ ଶିକ୍ଷାଗତ ସମ୍ପର୍କ ଏବଂ ଜ୍ଞାନ, ନବୋନ୍ମେଷ ଏବଂ ପ୍ରତିଭାର ବିନିମୟ ମାଧ୍ୟମରେ ଏହି ସମ୍ପର୍କର ଆଧାର ମଜବୁତ ହୋଇଛି ।
ଯଥାଶୀଘ୍ର ଭାରତ ଆସିବା ଲାଗି ଉପରାଷ୍ଟ୍ରପତି କମଳା ହ୍ୟାରିସ ଏବଂ ଦ୍ୱିତୀୟ ନାଗରିକ ଡଗ୍ଲାସ ଏମୋଫଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ନିମନ୍ତ୍ରଣ କରିଥିଲେ ।