ଗଞ୍ଜାମ – ବାଣ ଫୁଟାଇବା ବେଳେ ଅସାବଧାନତା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ପୃଥକ୍ ପୃଥକ୍ ସ୍ଥାନରେ ବାଣ ବିସ୍ଫୋରଣରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଦ୍ୱୟଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାହାସପୁର ଗ୍ରାମରେ ଗତକାଲି ରାତିରେ ଦୀପାବଳୀ ଉପଲକ୍ଷେ ବାଣ ଫୁଟାଉ ଥିବା ବେଳେ ହାତରେ ବାଣ ଫୁଟିଯିବାରୁ ୨ ଜଣ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସୁଶାନ୍ତ ଦାସଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବ୍ରହ୍ମପୁର ବୈଦ୍ୟନାଥପୁର ଓ ଖଲ୍ଲିକୋଟ ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।
ଅନୁରୂପ ଭାବେ ଖଲ୍ଲିକୋଟ ଥାନା ଅନ୍ତର୍ଗତ କଇରାସି ଗ୍ରାମରେ ବାଣ ଫୁଟାଉଥିବା ବେଳେ ଜଣେ ନାବାଳକ ଗୁରୁତର ଆହତ ହୋଇଛି । ତା’ର ହାତ ଓ ଆଖିରେ ଗଭୀର ଆଘାତ ଲାଗିଛି । ସମ୍ପୃକ୍ତ ନାବାଳକକୁ ମଧ୍ୟ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ହେଲେ ତା’ର ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ ।