ଭୁବନେଶ୍ୱର, ୩କଳା କୃଷି ଆଇନ ବାତିଲ, ବିଦ୍ୟୁତ୍ ସଂଶୋଧନ ଆଇନ ପ୍ରତ୍ୟାହାର, ଶ୍ରମିକ ବିରୋଧୀ ୪ ଶ୍ରମ କୋଡ୍ର ପ୍ରତ୍ୟାହାର ଦାବି ସହିତ ଆକାଶଛୁଆଁ ଦର ବୃଦ୍ଧି, ବ୍ୟାପକ ବେରୋଜଗାରୀ ଓ ଦେଶର ମୂଲ୍ୟବାନ ରାଷ୍ଟ୍ରାୟତ ସମ୍ପତି ବିକ୍ରିର ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ୨୭ ସେପ୍ଟେମ୍ବର ‘ଭାରତ ବନ୍ଦ’ ଡାକରାକୁ ସିପିଆଇ ସମର୍ଥନ କରିଛି ।
ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ରାଜ୍ୟ ସମ୍ପାଦକ ମଣ୍ଡଳୀର ବୈଠକ ଅନୁଷ୍ଠିତ ହୋଇ ଭାରତ ବନ୍ଦକୁ ସମର୍ଥନ ସହିତ ଏହି ବନ୍ଦରେ ସିପିଆଇର ସମସ୍ତ ସଭ୍ୟ ସକ୍ରିୟ ଭାବେ ସାମିଲ ହେବେ ବୋଲି ଘୋଷଣା କରାଯିବା ସଙ୍ଗେ ସଙ୍ଗେ ଦଳର ସମସ୍ତ ଜିଲ୍ଲା, ଅଂଚଳ ଓ ଶାଖା କମିଟିମାନଙ୍କୁ ଏଥିପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବୈଠକରେ ଗୃହୀତ ଅନ୍ୟ ଏକ ପ୍ରସ୍ତାବରେ ସମଗ୍ର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ବିତ୍ପାତ ଓ ଜଳବନ୍ଦୀ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ସହିତ କଚାଘରମାନ ଭାଙ୍ଗିଯାଇଥିବାରୁ ୭ଦିନ ମଧ୍ୟରେ ଏହାର ସର୍ଭେ କରି ଫସଲ ନଷ୍ଟ ପାଇଁ ଏକର ପିଛା ୨୦ ହଜାର ଟଙ୍କା କ୍ଷତି ପୂରଣ, ୩୦ ହଜାର ଲେଖାଏଁ ଘରଭଙ୍ଗା ସାହାଯ୍ୟ ପ୍ରଦାନ ସଙ୍ଗେ ସଙ୍ଗେ କୃଷିଋଣ ଓ ସ୍ୱୟଂ ସହାୟିକା ଗ୍ରୁପମାନଙ୍କ ଋଣକୁ ଛାଡ଼ କରିବା ପାଇଁ ଦାବି କରାଯାଇଛି ।
ରାଜ୍ୟ ସମ୍ପାଦକମଣ୍ଡଳୀର ଏହି ବୈଠକରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦିବାକର ନାୟକ, ଜାତୀୟ ପରିଷଦ ସଭ୍ୟ ଅଭୟ ସାହୁ, ରାଜ୍ୟ ସହସମ୍ପାଦକ କ୍ଷୀରୋଦ ସିଂହଦେଓ, ଅଶୋକ ଦାଶ ଓ ପ୍ରଶାନ୍ତ ପାଟ୍ଟଯୋଷୀ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ।